STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ସମୟର ସମ୍ପର୍କ

ସମୟର ସମ୍ପର୍କ

2 mins
186

ସମୟ ସାଥିରେ ବଦଳି ଯାଇଛି

ଆମରି ଗାଁର ରୂପ

ଆମ ପିଲାଦିନ ଗାଁ କଥା ଆମ 

ପିଲାଙ୍କୁ ଲାଗୁଛି ଗପ ।

ଆମ ପିଲାବେଳ ଛପର ଛାଉଣୀ 

ସବୁ ହୋଇଲାଣି ଛାତ

ଚାଳ ନାହିଁ ଆଉ ପାଳ ବି ମିଳୁନି

ନାଚୁନାହିଁ ପାଳ ଭୂତ ।

ଚାଳ ନାହିଁବୋଲି ଘରଚଟିଆ ତ

ଗାଁରେ ନାହାଁନ୍ତି ଆଉ

ରାତି ପାହିଗଲେ ଘର ମଥାନରେ

ରାବୁନାହିଁ ବସି କାଉ ।

ଗାଁ ବାଟଘାଟ କଙ୍କ୍ରିଟି ସଡକ

ଧୂଳି ମାଟି ଦାଣ୍ଡେ କାହିଁ

ନୂଆବୋହୂ ଆଉ ଗୋବର ପାଣିରେ

ଦାଣ୍ଡଦ୍ବାର ଲିପୁନାହିଁ ।

ପରିବା ଦୋକାନେ ଗହଳି ଜମୁଛି

ପଡିଆ ପଡୁଛି ବାଡି

ଭାରିହଣ୍ଡି, ଆମ ପିଲା ବୁଝନ୍ତିନି

କିଣାହୁଏ ଖଇ ମୁଢି ।

ସାଇକେଲ ଆମ ଗାଁରେ ସପନ

ସବୁ ଘରେ ଘରେ ଗାଡି

ପାନ ଦୋକାନ ରେ ପେଟ୍ରୋଲ ମିଳୁଛି

ଲାଗୁଅଛି ଲମ୍ବା ଧାଡି ।

ହଳ ବଳଦତ ଗାଁରେ ନାହାନ୍ତି

ଟ୍ରାକ୍ଟର କରୁଛି ଚାଷ

ବାଇକରେ ଚାଷୀ କ୍ଷେତକୁ ଯାଆନ୍ତି

ବାଛିବା ପାଇଁକି ଘାସ ।

ଧାନ ବେଙ୍ଗଳା ତ ବୁଝନ୍ତିନି ପିଲେ

ମେସିନ ଅମଳ କରେ

ଖଳା ନାହିଁ ଆଉ ନାହିଁ ମେରିଖୁଣ୍ଟ

କ୍ଷେତ ମୁଣ୍ଡେ କାମ ସରେ ।

ଢିଙ୍କି କୁଟା ଆଉ ହେଉନି କେଉଁଠି

ଶିଳ ଚକି କୁହ କାହିଁ !

ଗ୍ରାଇଣ୍ଡର ଏବେ ମସଲା ବାଟୁଛି

ଚୁନା କୁଟେ ସାଇଁ ସାଇଁ ।

ସଞ୍ଜ ରେ ପୂରାଣ ପଢୁଥିଲା ବୋଉ

ସହଳ ରୋଷେଇ ସାରି

ଘରଣୀଙ୍କୁ ଏବେ ସିରିଏଲ୍ ବାଇ

ରନ୍ଧାବଢା ନିତି ଡେରି ।

ସଜ ପଖାଳ କୁ ବାଡି ସାଗଭଜା

ପାଟିରୁ ବୁହଇ ଲାଳ

ପିଲାଙ୍କୁ ଆମର ପଖାଳ ରୁଚେନି

ସାଗଭଜା ତାଙ୍କୁ କାଳ ।

ଗାଁ ପୋଖରୀ ରୁ ମାଛ ମରୁନାହିଁ

ଆନ୍ଧ୍ର ରୁ ଆସୁଛି ରୋହୀ

ମାଛ ଗାଡି ଧାଡି ପହଞ୍ଚୁ ପହଞ୍ଚୁ

ବେପାରୀ ନିଅନ୍ତି ବୋହି ।

ଟେଲିଫୋନ୍ ଥିଲା ସାତ ସପନତ

ସାତ ଖଣ୍ଡ ମଉଜାରେ

ଏବେ ଘରେଘରେ ମୋବାଇଲ ମାଳ

କଥା ଚାଲେ ମଉଜରେ ।

ମୋବାଇଲ ଯୋଗୁ ବରଗଛ ମୂଳେ

ଜମୁନାହିଁ ଆଉ ଖଟି

ମୋବାଇଲ ଧରି ପିଲାଠାରୁ ବୁଢା

କରୁଥାନ୍ତି ଖିଟିଖିଟି ।

ପିଲାଦିନେ ଆମେ ଡ୍ରାମା କରୁଥିଲୁ

ହୁଏ ଯେବେ ରଜଛୁଟି

ଡ୍ରାମା ଦେଖିବାକୁ ଦର୍ଶକ ନାହାଁନ୍ତି

ପେଣ୍ଡାଲ ଗଲାଣି ଫାଟି ।

ଗାଁ ମନ୍ଦିର ରେ କିର୍ତ୍ତନ ହେଉନି

ବାଜୁନାହିଁ ଘଣ୍ଟ ବାଜା 

ଇଲେକ୍ଟ୍ରି ବାଜାର ତାଳେତାଳେ ନନା

ଏକା କରୁଛନ୍ତି ପୂଜା ।

ପିଲାଦିନେ ଆମେ ସହରକୁ ଦେଖି

ହେଉଥିଲୁ ଭାରି ଖୁସି

ଆମ ପିଲାଙ୍କର ହସ ଲୁଟି ନିଏ

ଗାଁ କୁ ସହର ଆସି ।

ଆମ ପିଲାଦିନେ ପ୍ରେମୀ ଯୁଗଳଙ୍କୁ

ଗାଁ ହେଉଥିଲା କାଳ

ସହର ପରିକା ଗାଁରେ ଏବେତ

ପ୍ରେମ ପକ୍ଷୀ ମାଳମାଳ ।

ପିଲାଦିନେ ଆମେ ଶୁଣିତ ନଥିଲୁ

ବିଅର ହୁସ୍କି ନାଁ 

ଗାଁ ମୁଣ୍ଡେ ଏବେ ବାର୍ ଖୋଲିଲାଣି

ପିଲାଏ ମାରନ୍ତି ଡିଆଁ ।

ଆମ ପିଲାଦିନ କଥା ବଖାଣିଲେ

ହେବନାହିଁ ଜମା ଶେଷ

ସମୟ ସାଥିରେ ବଦଳୁଛି ସବୁ

ସହଙ୍ଗା ହେଉଛି ହସ ।



Rate this content
Log in

Similar oriya poem from Children