ସମୟ ବି କଥା କୁହେ
ସମୟ ବି କଥା କୁହେ
ନୟନେ ଅଶ୍ରୁ ଦେଇ କେବେ ଅସରନ୍ତି ପ୍ରଶ୍ନ ପଚାରେ
କେବେ ଉତ୍ତରେ ହସ ସାଜି ଫୁଟି ଉଠେ ଓଠ ଗାଆଁରେ
ପୁଣି କେବେ ଦୁଃଖ ସାଗରେ ନାଆଟେ ହୋଇ ଭାସିଯାଏ
ହଁ, ଏ ସମୟ ବି ମୋତେ କଥା କୁହେ
କେବେ ବାଚାଳ ହୋଇ ଗପିଚାଲେ
କେବେ ପ୍ରଶ୍ନବାଚୀ ସାଜି ଅଟକିଯାଏ
କେବେ ସବୁ ଜାଣି ମୁକ ସାଜେ
କେବେ ଅତୀତରୁ ଭବିଷ୍ୟ ସିନ୍ଦୁକର ଚାବି ଖୋଜୁଥାଏ
ହଁ, ଏ ସମୟ ବି ମୋତେ କଥା କୁହେ
କୁହେ, ମିଛ ଏ ଦୁନିଆଁରେ ରକ୍ତ ସମ୍ପର୍କ ଧୋକା ଦିଏ
ମାତ୍ର ଅଜଣା ହୃଦୟଟେ ଏଠି ନିଜଠୁ ନିଜର ହୋଇଯାଏ
ପ୍ରତି କ୍ଷଣେ ସ୍ନେହ ଦେବାକୁ ସଭିଙ୍କୁ
ଉପଦେଶ ମୋତେ ଦେଇଯାଏ
ହଁ, ଏ ସମୟ ବି ମୋତେ କଥା କୁହେ
ଛଦ୍ମବେଶୀ ସଂସାରକୁ ଆଖିରେ ଦେଖାଇ ବୁଝାଇଯାଏ
ନିକଟେ ରଖି ସଭିଙ୍କର ଦୂରକୁ ସେ ମୋତେ ନେଇଯାଏ
ମୁହୂର୍ତ୍ତ ମୋର ସଭିଙ୍କ ମଙ୍ଗଳ ପାଇଁ ହେଉ,
ଏହି ବାର୍ତ୍ତା ମୋତେ ସମୀର ସ୍ପର୍ଶେ ଦେଇଯାଏ
ହଁ, ଏ ସମୟ ବି ମୋତେ କଥା କୁହେ
ପ୍ରିୟ ହେଲେ ବି ଜହ୍ନ କଇଁଠୁ ଦୁରେ ଥାଏ
ବିରହ ଯନ୍ତ୍ରଣା ପ୍ରଣୟର ନାମାନ୍ତର କୁହେ
ନାନା ଦୃଷ୍ଟାନ୍ତେ କେତେ କଥା ସହଜେ ବୁଝାଏ
ହଁ, ଏ ସମୟ ବି ମୋତେ କଥା କୁହେ
ପରାଜିତ ଆଜି ଯଦି ବିଜୟ ଭବିଷ୍ୟେ ଅପେକ୍ଷାରେ
ସଠିକ ଉତ୍ତର ଦିଏ ସେ ଉଚିତ ଏକ ସମୟରେ
ନିଜେ ସେ କ୍ଷଣସ୍ଥାୟୀ କର୍ଣ୍ଣେ ମୋର କହୁଥାଏ
ଶୂନ୍ୟରୁ ସୃଷ୍ଟି ଓ ଶୂନ୍ୟ ହିଁ ଅନ୍ତ ମୋର ମନେ ପକାଏ
ହଁ, ଏ ସମୟ ବି ମୋତେ କଥା କୁହେ
ଅର୍ଥ ଜୀବନର ସରଳ ଭାଷାରେ ଲେଖିଯାଏ
ଆଶ୍ଵାସନାର ସଙ୍ଗୀତ ମଧୁର ସ୍ୱରେ ଗାଇଯାଏ
ଉପସ୍ଥାନେ ନିଜର ନୂତନ ବିଶ୍ୱାସଟି ଗଢ଼ାଏ
ହଁ, ଏ ସମୟ ବି ମୋତେ କଥା କୁହେ
ରଙ୍ଗମଞ୍ଚ ଜୀବନ ଏ ଅଭିନୟ ବାଧ୍ୟ ଏଠି
ସ୍ବପ୍ନ ସବୁ ସାଥେ ନେଇ ଫେରିବାକୁ ହୁଏ ଏଠି
ଧାରେ ଲୁହ ପିଇ ମିଛେ ହସିବାକୁ ପଡେ ଏଠି
ଏକାକୀ ପଥ ଚାଲିବା ଶିଖିବାକୁ ହୁଏ ଏଠି
କହି ମୋତେ ଏତେ କଥା ନିଃଶ୍ୱାସଟି ନିଏ
ହଁ, ଏ ସମୟ ବି ମୋତେ କଥା କୁହେ
ସମୟ ବି ମୋତେ କଥା କୁହେ
