ସିଧାକଥା-118 : ଗରିବ ପ୍ରତିଯୋଗିତା : -ଡକ୍ଟର କୃତ୍ତିବାସ ନାୟକ :
ସିଧାକଥା-118 : ଗରିବ ପ୍ରତିଯୋଗିତା : -ଡକ୍ଟର କୃତ୍ତିବାସ ନାୟକ :
ଆମ ରାଇଜରେ ଗରିବ ହେବାକୁ ଚାଲିଛି ପ୍ରତିଯୋଗିତା,
ଯେତେ ଧନଥାଉ ମନଟା ଗରିବ ସ୍ୱାଭିମାନ ଲାଗେ ପିତା |
ଦରିଦ୍ର ତାଲିକା ଭିତରେ କେମିତି ନିଜ ନାମ ରହିଯାଉ,
ବାପାର ନାମରେ ଜମିବାଡ଼ି ସବୁ ପତ୍ନୀନାମେ ଘର ଥାଉ |
ବେପାର ବଣିଜ କଲେ କେ ଆମର ରଖୁଛି ହିସାବ କେତେ ?
ବସ୍ତିରେ ଖଣ୍ଡିଏ କୁଡ଼ିଆ କରିଛି ଗରିବ କହିବ ମୋତେ |
ମାଗଣା ସୁବିଧା ଶସ୍ତାରେ ଚାଉଳ ଦୟା ଅନୁଗ୍ରହ ପାଇଁ,
ମହତ ପଛକେ ଯାଉ, ମିଳୁଥାଉ ଲାଇନରେ ଠିଆହେଇ |
କେବେ ସିନା ଲୋକେ ଛତରଖିଆକୁ ଦେଉଥିଲେ ମୁଠେ ଭିକ,
ଏବେ ତ ଦରିଦ୍ର କାର୍ଡ଼ ଖଣ୍ଡିକ ଯୋଗାଇ ଦେଉଛି ସୁଖ |
ଧନରେ ଗରିବ ବୁଦ୍ଧିରେ ଗରିବ ଜ୍ଞାନରେ ଗରିବ ହେବୁ,
ମୋ ପରି ଗରିବ ଗଣିହେବ ନାହିଁ ସବୁଆଡ଼େ ମାଗୁଥିବୁ |
