ଶ୍ରୀମନ୍ଦିରେ ମୋତେ ନିଅ କାଳିଆ
ଶ୍ରୀମନ୍ଦିରେ ମୋତେ ନିଅ କାଳିଆ
କର୍ତ୍ତବ୍ୟ କରେ କି ମୋହେ ବନ୍ଧା ଅଛି
ଜାଣି ପାରୁ ନାହିଁ କଳା ଗୋସେଇଁ
ଉତ୍ତର କୁହ ହେ ନୀଳାଚଳ ନାଥ
ଶ୍ରୀମନ୍ଦିରେ ମୋତେ ନିଅ ହେ ଟାଣି ।
ଶ୍ରୀମନ୍ଦିରେ ମୋତେ ନିଅ ହେ କାଳିଆ
ମାୟାର ପୁଟୁଳୀ ଖୋଲ ଆଖିରୁ
ତୁମରି ଦାନର ଜୀବନ ଭାସୁଛି
ଉଦ୍ଧାର କର ହେ ଏଇ ସଂସାରୁ ।
ଭବେ ଭାବ କରି ସଂସାର ଜାଲରେ
ଛନ୍ଦି ହେଉ ଅଛି ହେ ଛଟପଟ
ଶ୍ରୀମନ୍ଦିରେ ମୋତେ ନିଅ ଜଗଦୀଶ
ଭାଙ୍ଗିଦିଅ ମୋର ମୋହ କବାଟ ।
ଭାବୁଛି ଖାଲି ମୁଁ ଶ୍ରୀମନ୍ଦିର କଥା
ସପନେ ବି ଦେଖେ ସିଂହ ଦୁଆର
ତୁମ ଦେଖା ପାଇଁ ନିଉନ ହେଉଛି
ନିଅ ହେ କାଳିଆ ଶିରୀମନ୍ଦିର ।
ବଡ ଦେଉଳରେ କେବେ ଦେଖି ଥିଲି
ଦିନ ବାର କାହିଁ ମନେ ବା ଅଛି
ସେଠି ବସିବାର ବିଭୋରତା ମୋତେ
ଯିବା ପାଇଁ ଅସ୍ତ ବ୍ୟସ୍ତ କରୁଛି ।
ସ୍ମରଣ କାଳରେ ଚକା ଆଖି ଦିଶେ
ହେଲେ ଶ୍ରୀମନ୍ଦିର କଥା ଅଲଗା
ବାଇଶି ପାହାଚେ ପାଦ ଥାପିବାକୁ
ନେଇ ଯାଅ ମୋତେ ଘନ କାଳିଆ ।
କିଛି ମାଗି ବିନି ବ୍ୟସ୍ତ କରିବିନି
ଶ୍ରୀମନ୍ଦିରେ ମୋତେ ନିଅ କାଳିଆ
ରତ୍ନ ସିଂହାସନେ ବସିବା ଦେଖିବି
ମୋତେ ନେଇ ଯାଅ ଭାବ ଭୋଳିଆ ।
ଗରୁଡ଼ ପଛରେ ଠିଆ ହୋଇ ଥିବି
ଦେଖୁ ଥିବି ମୁହିଁ ଚତୁର୍ଦ୍ଧାମୂର୍ତ୍ତି
ଆଖିର ଲୁହରେ ଯାଚନା ଧୋଇବି
ଭୁଲି ଯିବି ସବୁ କାମନା ପୂର୍ତ୍ତି ।
ମନ୍ଦିରେ ଯିବାକୁ ମନ ଛଟ ପଟ
ଗୋଡ଼ରେ ବନ୍ଧା ମୋ ମୋହ ଶିକୁଳି
ଶ୍ରୀମନ୍ଦିରେ ମୋତେ ନିଅ ହେ କାଳିଆ
ଇଚ୍ଛା ମୋର କିବା ପାରୁନ କଳି ।
ଭୁଲି ନାହିଁ କେବେ ତୁମକୁ ପ୍ରଭୁ ହେ
ଭୁଲି ପାରିବିନି ଏଇ ଜୀବନେ
ଶ୍ରୀମନ୍ଦିର ଯିବା ଇଚ୍ଛା ପୂର୍ଣ୍ଣ କର
ଅଳି କରୁଛି ମୁଁ ତୁମ ଚରଣେ ।
ଶ୍ରୀମନ୍ଦିରେ ମୋତେ ନିଅ ଜଗନ୍ନାଥ
ଆନନ୍ଦ ବଜାରେ ବୁଲିବା ଆଶ
ଅବଡା ଅନ୍ନକୁ ପଇସା ନ ଥିଲେ
ଟଙ୍କ ତୋରାଣୀରେ ମେଣ୍ଟିବ ଶୋଷ ।
ଶ୍ରୀମନ୍ଦିରେ ମୋତେ ନିଅ ହେ କାଳିଆ
ବେଢ଼ା ପରିକ୍ରମା କରି ମଜ୍ଜିବି
ଶ୍ରୀମନ୍ଦିରେ ତୁମ ଚକାଡୋଳା ଦେଖି
ମୋହ ବନ୍ଧନରୁ ମୁକ୍ତି ପାଇବି ।
ଯାହା ବି ଦେଇଛ ତାହା ତ ଯଥେଷ୍ଟ
ମାଗିବା ପାଇଁ କି ଯିବି ମୁଁ ନାହିଁ
ତୁମରି ମନ୍ଦିର ଶିଳାକୁ ଆଉଜି
ହଜି ଯିବି ଆହେ କଳା ଗୋସାଇଁ ।
ହୋଇ ନିଉଛାଳି କରୁଅଛି ଅଳି
ଥରୁଟିଏ ମୋତେ ମନ୍ଦିରେ ନିଅ
ସ୍ଵର୍ଗ ଦ୍ଵାର ଯିବା ଆଗରୁ ହେ ନାଥ
ଶ୍ରୀ ମନ୍ଦିରେ ଥରେ ଦର୍ଶନ ଦିଅ ।