ସହରିଆ ବର୍ଷା
ସହରିଆ ବର୍ଷା
ବର୍ଷା !
ସୁଯୋଗ ଆଣେ ନା ଦୁର୍ଯୋଗ ?
ଦୁଃଖ ଆଣେ ନା ସୁଖ ?
ବର୍ଷା ! ଦହଗଞ୍ଜର ଅନ୍ୟ ନାମ
ନା ଦୁର୍ଦ୍ଦଶା ଦୁର୍ବିପାକର କାରଣ...
ବର୍ଷା ନହେଲେ ବଦନାମ
ବର୍ଷା ହେଲେ ବି ବଦନାମ
ଅସରାଏ ହେଉ କି ଅବିଶ୍ରାନ୍ତ
ବର୍ଷା ! ଆବେଗକୁ କରେ ଆକ୍ରାନ୍ତ
ଜନ ଜୀବନକୁ କରେ ହନ୍ତସନ୍ତ
ବର୍ଷା ବିହୁନେ ବିଧୁରା ଏ ମାଟି
ବର୍ଷା ବହୁଳେ ବ୍ୟତିବ୍ୟସ୍ତ ଏ ଧରା
ସହରର ଗଳିକନ୍ଦିରେ ପାଣି ପଶିଲେ
ବର୍ଷାକୁ ବ୍ରହ୍ମାସ୍ତ୍ର କରନ୍ତି ନେତା
ମୁଦ୍ଦା କରନ୍ତି ବିରୋଧୀ
ଆଣ୍ଠିଏ ଡ୍ରେନ ପାଣିରେ ପଶି କରନ୍ତି ରାଜନୀତି
ଫି ବର୍ଷ ବର୍ଷା ଆସେ
ପାଣି ପଶେ, ସହର ଭାସେ
କ୍ୟାମେରା ବୁଲେ, ଲାଇଭ ଚାଲେ
ନେତା ଆସନ୍ତି, ପ୍ରତିଶ୍ରୁତି ଦିଅନ୍ତି
ହେଲେ ଶୁଖେନି ଲୁହ, ସୁଧୁରେନି ସ୍ଥିତି
ବୁଡିଯାଏ ବସ୍ତି, ସହର ଛାତିରେ
ବର୍ଷା ଆଙ୍କିଚାଲେ ଜଳର ଜ୍ୟାମିତି...
ବର୍ଷା ! କାହା ପାଇଁ ସୌକ,
କାହା ପାଇଁ ଶାସ୍ତି...
କୋଠାଘରେ ରହୁଥିବା ମଣିଷ
କପେ କଫିରେ ବର୍ଷାକୁ ସ୍ବାଗତ କରେ
ରିଲ୍ସ ପାଇଁ ବର୍ଷାରେ ଦେହକୁ ଭିଜାଏ...
ତେଣେ ତେଲ ଲୁଣର ସଂସାର
ସଜାଡୁ ସଜାଡୁ ଗରିବ ଘରେ ପାଣି ପଶିଯାଏ
ଚୁଲି ଓଦା ହୁଏ, ଚାଉଳ ଭିଜିଯାଏ
ଭାତ-ଭୋକର ଭଉଁରୀ ଭିତରେ
ଜୀବନ ଖଟ ଉପରେ ଗୋଡ ଟେକି ବସିଥାଏ...
ଚାଳ ଫାଙ୍କରୁ ପାଣି ପଶି
ବସ୍ତିରେ ବଢୁଥିବା ସ୍ବପ୍ନ ବତୁରିଯାଏ
ମୃତ୍ୟୁ ସହ ସଂଗ୍ରାମ କରୁଥିବା
ମଣିଷର ମେଡିସିନ ଭାସିଯାଏ...
ବର୍ଷା ଧନୀ ଗରିବ ଦେଖେନି
କିନ୍ତୁ ଧନୀ ଓ ଗରିବ
ବର୍ଷାକୁ ଦେଖନ୍ତି...
ବର୍ଷାରେ ଭିଜନ୍ତି...
ବର୍ଷାକୁ ଭୋଗନ୍ତି...
ବର୍ଷାକୁ ସହନ୍ତି...
ଆକାଶ ଥିବା ଯାଏଁ
ଆୟୁଷ ଥିବା ଯାଏଁ...।
