ବର୍ଷା ସହ ଭେଟଘାଟ
ବର୍ଷା ସହ ଭେଟଘାଟ
ଅନେକ ଅପେକ୍ଷା ପରେ
ଦିନେ ଏଇ ରାଜଧାନୀର ଛାତି ଉପରେ
ବର୍ଷା ସହ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା
ପହିଲି ଭେଟଘାଟ ହେଡଲାଇନ ହୋଇଥିଲା
ପ୍ରାଇମ ଟାଇମରେ ପ୍ୟାକେଜ ବାଜିଥିଲା...
ଆଉ ସେବେଠୁ ବର୍ଷା ଖାଲି ଖବର ନୁହେଁ
ବରଂ ଏ ସହରର ପରିଚିତ ଚେହେରା ପାଲଟିଗଲା ll
କଳାହାଣ୍ଡିଆ ଆକାଶ ତଳେ
ଭିଜିଯିବା ଭୟରେ ଅଫିସ ଗଲା ବେଳେ
ମୁଁ ବର୍ଷାକୁ ଭେଟେ...
ପ୍ରଭାତ ଭାଇର ଚା’ ଗ୍ଲାସରେ
ଓଠ ବୁଡେଇ ସୁଡୁକିଲା ବେଳେ
ମୁଁ ବର୍ଷାକୁ ପାଏ...
କୋଚିଲେଇ ହାଟର ଭାଉଜ ଦୋକାନରୁ
ମଟର ସୁପ ପିଇଲା ବେଳେ
ବର୍ଷାକୁ ମୁଁ ଲାଜରେ ବତୁରିଯିବାର ଦେଖିଛି ll
ମନୋଜ ନନାର ମିଠା ପାନ ଖଣ୍ଡେ
ନଖାଇ ବର୍ଷା ବି ଈର୍ଷା କରେ
କ୍ୟାଣ୍ଟିନ ନନାର ମଟନ ବାସ୍ନାରେ
ବର୍ଷା ବେହୋସ ହୁଏ, ଲୋଭରେ ଲାଳ ଗଡାଏ ll
ମଣିଷ ଯେଉଁଦିନ ରେନକୋଟ ଭୁଲି ଯାଇଥିବ
ବର୍ଷା ସହ ସେଦିନ ହିଁ ଭେଟ ହେବ
ତା ସହ ବୁଲିଲା ବେଳେ
ତମ ସହ ଲୁଚି ଲୁଚି ଟ୍ରାଫିକ ପାର କଲା ବେଳେ
ବର୍ଷା ମୋ ସୁଖ ସହି ନପାରି ବର୍ଷିଯାଏ ll
ତମେ ଯେବେ ମତେ ଠକି ଦେଇଥିଲ
ମୋ ସହ ଛଳନାର ଛକିଶୂନ ଖେଳିଥିଲ
ସେଦିନ ବି ବୈଶାଖରେ ବର୍ଷା ହୋଇଥିଲା
ଅବଶ୍ୟ,
ବାହାରେ ନୁହେଁ ମୋ ଭିତରେ
ଆକାଶରେ ନୁହେଁ ମୋ ଆଖିରେ ll
