ବାପା
ବାପା
କ'ଣ ବା ଦରକାର ଥିଲା
ନିଜ ଜୀବନର ସବୁତକ ଖୁସିକୁ
ସୁଅ ମୁହଁରେ ପତରଟିଏ କରି ଭସେଇ ଦେବା...?
କ'ଣ ବା ଆବଶ୍ୟକ ଥିଲା
ନିଜ ଦେହର ସବୁତକ ରକ୍ତକୁ
ଝାଳ ପରି ନିଗାଡ଼ି ଦେଇ
ଖରା, ବର୍ଷା, ଶୀତକୁ ପିଠି କରି ରିକ୍ସାବାଲା ସାଜିବା...??
ଜନମ ଦେଇ ଏ ଦୁନିଆର
ଆଲୋକ ଦେଖେଇବାଟା କଣ
ଯଥେଷ୍ଟ ନୁହେଁ ତୁମ ପାଇଁ...!
ନାଁ, ଯଥେଷ୍ଟ ନୁହେଁ ପିଲାଟି ବେଳୁ
ସବୁ ତକ ଅଳି ଅଝଟକୁ ସହି
ପାଦ ତଳର ପୃଥିବୀ
ମୁଣ୍ଡ ଉପରର ଆକାଶ ସାଜିବା...!!
ନିଜେ ଛିଣ୍ଡା ପିନ୍ଧି
ମୋତେ ଭଲ ପିନ୍ଧାଇବାର
ମାନେ କଣ ଥିଲା...?
ନିଜେ ଭୋକେ ରହି
ମୋତେ ଖୁଆଇବାର
ମାନେ କଣ ଥିଲା...??
କେଉଁ ଆଶା, କେଉଁ ଉଦ୍ଦେଶ୍ୟ ଥିଲା
ଏହି ତ୍ୟାଗ ପଛରେ...???
ଏଇ ଅପାସୋରା,
ନିଚ୍ଛକ ଶବ୍ଦଟା 'ବାପା' ନା !
ପିଲାଟି ମୁହଁରୁ ଟିକେ
'ବାପା' ଡାକ ଶୁଣିବା ପାଇଁ ନା...!!
ଏତିକ ପାଇଁ ଏତେ ତ୍ୟାଗ, ଏତେ ବଳିଦାନ
ସତରେ କଣ ବାପା ହେବା
ପୁରୁଷ ଜୀବନର ଏକ ସାର୍ଥକତା
ନାରୀ ଜୀବନର ମାଆ ହେବା ପରି ।
ବାପାମାନେ କଣ ସବୁ ଏମିତି
ସ୍ନେହକାଙ୍ଗାଳ, ପ୍ରେମକାଙ୍ଗାଳ
ପାଦ ତଳର ପୃଥିବୀ,
ମୁଣ୍ଡ ଉପରର ଆକାଶ,
ଆମ ଦେହର ନିଶ୍ବାସ ପ୍ରଶ୍ବାସ
ବାପା ! ତୁମେ ଏକା ଏମିତି
ନା ଦୁନିଆର ସବୁ ବାପାମାନେ ଏମିତି...???
