ଶ୍ରାବଣ
ଶ୍ରାବଣ


ତୁମେ ଆସୁଥାଅ
ଦୂର ପାହାଡ଼ ଚୋଟୀରୁ
କେବେ ନିଃଶବ୍ଦରେ
କେବେ ନେଇ ନୀଳ ଅହଂକାର
କେବେ ଥାଅ ଭୟଙ୍କର
ପୁଣି ସନ୍ୟାସିନୀ ଶୁଭ୍ର ଅଙ୍ଗୀକାରେ ।
ଚିହ୍ନିଥାଅ ବୋଲିତ
ମାଟିର ଅତ୍ମୀୟତା
ତୁମପାଇଁ ସିଏ ପଲ୍ଲବିତା
ଭୁଲିଯାଏ ନିଦାଘ ଗ୍ରୀଷ୍ମର
ଧୂଷର ବିପ୍ଳବ
ସବୁଜ ରଙ୍ଗରେ ଲେଖିଯାଅ
ପ୍ରୀତିର କବିତା ।
ତୁମକୁ ଛୁଇଁଛି ମୁଁ
ଗର୍ବୀତା ଗର୍ଭବତୀ ନଦୀର ପେଟରେ
ତୁମକୁ ଭେଟିଛି ମୁଁ
କେତେବାର
ସ୍ୱାଧୀନତା ଦିବସର
ପ୍ରଭାତ ଫେରିରେ
ତୁମସହ ଖେଳିଛି ମୁଁ
କେବେ ନାଲି ନାଲି ଓଳି ପାଣି ।
କାଗଜ ଡଙ୍ଗାରେ
ସଂଜୁଆ ଚିତଉ ବାସ୍ନା
ଆଜି ଡାକେ କେତେବାର
ପଥ ଚାହେଁ
ବେଙ୍ଗ ମୁଣ୍ଡେ ସିନ୍ଦୂର ଟୋପାରେ
ନିରୀହ ଆକାଶ
ଆଉ ନିରୋଳା ମାଟିରେ
ଖୋଜିଛି ତୁମକୁ
ଉଲ୍ଲସିତ ପ୍ରେମିକର ବାହୁ ବନ୍ଧନରେ ।