ଶିଶୁ ସଚେତନ
ଶିଶୁ ସଚେତନ
ସାବଧାନ ହୁଅ ମାଆ ମାଉସୀ ମୋ
ଆସିଛି ଖରାପ ବେଳ
କରୋନା ଆତଙ୍କ ସାରା ଭାରତ ରେ
ଚଳାଇଛି ତାର ଖେଳ |
ଘରେ ଘରେ ଆଜି ଡେରା ପକାଇଛି
ମୃତ୍ୟୁ ର ଅଜବ କାଣ୍ଡ
ଉଣ୍ଡି ଉଣ୍ଡି ଖାଲି ବାଛି ନେଉଅଛି
ଦେଉଛି ମରଣ ଦଣ୍ଡ |
ପ୍ରଥମ ଲହର ଆସିଲା ଯେବେଠୁ
ଗ୍ରାସିଲା ଅଳ୍ପେ ବହୁତ
ଦ୍ଵିତୀୟ ଲହର ସାଜିଛି ନୃଶଂସ
ସଭିଙ୍କୁ ମାରୁଛି ଲାତ |
ଟାଣି ନେଉଅଛି ପିଶାଚ ସାଜିଛି
ଶୋଷି ନେଉଅଛି ପ୍ରାଣ
କେତେ ଯେ କାହାର ଘର ଉଜାଡୁଛି
ନାହିଁ ଏଠି ପରିତ୍ରାଣ |
ଧନୀ କି ଗରିବ ଦେଶର ସେବକ
ସବୁ ତା ଫାଶ ରେ ବନ୍ଧା
ଅକାଳେ ନାଶୁଛି ନିରୀହ ଜୀବନ
ଛାଡ଼ୁନି କରୋନା ଯୋଦ୍ଧା |
ପୁଣି ଆସୁଅଛି ତୃତୀୟ ଲହର
ଲହ ଲହ କରି ଜିହ୍ୱା
ବିଶେଷଜ୍ଞ ମାନେ ମତ ଦେଉଛନ୍ତି
ମାରିବ ସେ ପିଲାଛୁଆ |
ସବୁଦୁଃଖ ଠାରୁ ଏ ଦୁଃଖ ଅଧିକ
ପିତା ମାତାଙ୍କୁ ହିଁ ଦେବ
ସେଥିପାଇଁ ବେଳୁ ହୋଇ ସାବଧାନ
ନିଜ ପିଲା ଯତ୍ନ ନେବ |
ଖେଳକୁଦ ପାଇଁ ଘର ଠୁ ଦୂରକୁ
ଛାଡ଼ନାହିଁ କେବେହେଲେ
ଅନ୍ୟଠାରୁ ଯେତେସମ୍ଭବ ଦୂରେଇ
ରଖିବା ଉଚିତ ଭଲେ |
ସାବୁନ ରେ ହାତ ଧୋଇ ଶିଖାଇବା
ବେଳୁହିଁ ଅଭ୍ୟାସ କର
ସାନିଟାଇଜର ବ୍ୟବହାର ପାଇଁ
ପିଲାଙ୍କୁ କର ତତ୍ପର |
ଜ୍ୱର ଥଣ୍ଡା କାଶ କଫ ଯଦି ହୁଏ
ତୁରନ୍ତ ଚିକିତ୍ସା କର
ପରାମର୍ଶ ନେଇ ଡାକ୍ତର ବାବୁଙ୍କ
କର ସେହି ଉପଚାର |
ଧୈର୍ଯ୍ୟହରା ହୋଇ କର ନାହିଁ କିଛି
ଅଖଣ୍ଡ ବିଶ୍ୱାସ ରଖ
ନିଜ ପିଲାପ୍ରତି ସତର୍କ ରହିବା
ଅଭ୍ୟାସ କରି ଶିଖ |
ବର୍ଷାଦିନ ଇଏ ସଂକ୍ରମଣ ବୃଦ୍ଧି
ଅନେକ ମାତ୍ରାରେ ହେବ
ତେଣୁକରି ତୁମେ ନିଜ ପିଲାଯତ୍ନ
ହଜାରେ ଗୁଣରେ ନେବ |
