STORYMIRROR

Fransis Satapathy

Inspirational

3  

Fransis Satapathy

Inspirational

ଶିଶୁ ଦିବସର ଅନୁଚିନ୍ତା

ଶିଶୁ ଦିବସର ଅନୁଚିନ୍ତା

1 min
14.2K


ଶିଶୁ ଦିବସରେ ନହେଉ କେବଳ ତୁଚ୍ଛା ଭାଷଣ ବାଜି,

ଚୁଚୁମା, ମିଠେଇ ଖୁଆଖୋଇ ହୋଇ ନ ଯାଅ ସଭାକୁ ଭାଜି।

ଚାଚା ନେହେରୁଙ୍କ ଫଟୋଟି କେବଳ ଗୋଲାପେ ନହେଉ ସଜା,

ମୂଲ୍ୟହୀନ ସବୁ, ତାଙ୍କ ଚିନ୍ତାଧାରା ଯଦି ରହିବ ଅବୁଝା।

ଲୋଡ଼ାନାହିଁ କା'ର ଉତ୍ତୁଙ୍ଗ ଭାଷଣେ ନଭଭେଦୀ କରତାଳି,

କୁମ୍ଭୀରକାନ୍ଦଣା, ମିଥ୍ୟା ସୋହାଗରେ ନଯାଅ କାହାର ଭଳି।

ପଢ଼ିବା-ବଢ଼ିବା, ପେଟକୁ ଖାଇବା କାନ୍ଥରେ ନ ରହୁ ଲେଖା,

ସାରା ବିଶ୍ୱର କୋଣେ ଅନୁକୋଣେ ପହଞ୍ଚୁ ଯେମିତି ଶିକ୍ଷା।

ଦିନେ ଅଧେ କେହି ମାଗଣାରେ ଖାଇ ବରଷେ ନଦେଖୁ ଭୋକ,

ପାରୁଛ ଯଦି ପେଟୁ କାଟି ଦିଅ ଶିଶୁଟେ ନ ମାଗୁ ଭିକ।

ପାରିବ ଯଦି ଏ ଦେଶରୁ ହଟାଅ ନିଶାର ଘୃଣ୍ୟ ରାଜୁତି,

ମଦ ଗଞ୍ଜେଇର ପାଉଣା ଆଳରେ ଶୈଶବ ନହେଉ ବିକି।

ଦରକାର ନାହିଁ ଦିନେ ଅଧେ ତୁମ ମିଛ ସେନେହ ଆଦର,

ପାରୁଛ ଯଦି କେ ପୋଛି ଦିଅ ବାରେ ଦାଗ କୁଆଁରୀ ମା'ର।

ଝିଅ ଟିଏ ବୋଲି ମା'ର ପେଟରେ ମାରନାହିଁ ତାକୁ ଆଉ,

କାନ୍ଥବାଡ଼େ ଲେଖି ଡେଙ୍ଗୁରା ପିଟିଲେ କ୍ଷମିବେନି ମହାବାହୁ।

ନରାଧମ ଯେତେ ଦୟାର ଆଳରେ ଲୁଟନ୍ତି ଶିଶୁର ମାନ,

ଗୋଷ୍ଠୀ, ଧର୍ମ ଭୁଲି ଦଣ୍ଡଦିଅ ତାରେ, ରଖ ଏ ଜାତି ସମ୍ମାନ।

ଲୋଡ଼ା ନାହିଁ କେଉଁ ରାଜନୀତି ବାଜି ଶିଶୁର ଭବିଷ୍ୟ ପାଇଁ,

ବିନା ରାଜନୀତେ ଆଗେଇ ଆସହେ ଯଦି ହୃଦୟ କାନ୍ଦଇ।

ଦେଖି ଦେଖି ସବୁ ଚିଟା ଲାଗିଲାଣି ସବୁ ମୁହଁ ମୁଖା ପିନ୍ଧା,

କେତେ ଭବିଷ୍ୟତ ଅନ୍ଧାର ହେଲାଣି ତଥାପି ଆସୁନି ଚିନ୍ତା।

କ୍ୟାମେରା ଆଗରେ ମିଛରେ ହସିଲେ ସୁଧୁରିବନି ଏ ସ୍ଥିତି,

ହୃଦ-କ୍ୟାମେରାରେ ନିରିଖେଇ ଦେଖ, ଦିଶିବ କେତେ ଦୁଃସ୍ଥିତି।

ନିଜ ପିଲା ଯାହା, ସବୁ ପିଲା ତାହା ସମସ୍ତେ ନିରୀହ କଳି,

ଦେଶର ଭବିଷ୍ୟ ଶିଶୁଭାଗ୍ୟେ ବନ୍ଧା ନଯାଅ କେବେ ହେଁ ଭୁଲି।।

ଫ୍ରାନସିସ ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational