ସେ ବି ବାପଟିଏ
ସେ ବି ବାପଟିଏ


ଏମିତି ଦିନେ ଅକସ୍ମାତ ଭେଟ ହେଲା,
ତା ସଙ୍ଗେ--ନିଝୁମ ବର୍ଷାରେ;
ସହରଠୁଁ ଟିକେ ଦୁରେ,
ବନ୍ଦ କେବିନ୍ ର ଚାଲିଆ ତଳେ--
ମୁଁ ଓ ସେ ଦୁହେଁ--ଏକା ଏକା ଭିଜା ଭିଜା,
ମୋ ବାଇକ ଓ ତା ଟ୍ରଲି--
ଦି'ଟା ରାସ୍ତା ଉପରେ କିନ୍ତୁ ପୁରା ଓଦା ।
ନିରୋଳା ତଫାତ୍ ବୁଝେନି !!
ମୋ ସୁଟ୍ ବୁଟ୍..ତା ହାପ୍ ପ୍ୟାଣ୍ଟ୍, ଛିଡ଼ା ଗଞ୍ଜି--
ସବୁ ସମାନ ଓ ଫରକ ହୀନ ସେଇଠି;
ଦେଖିବା--ଦେଖେଇ ହେବା କେବଳ ଦୁହିଁଙ୍କ ଭିତରେ,
ମୋ ଭିତରର ବାବୁ ଓ ତା' ମଜଦୁର୍--
ଦୁହେଁ ସମାନ ସେତେବେଳେ ।
ଗରିବୀର ଗୋଟେ ନିର୍ଦ୍ଦିଷ୍ଟ ଗନ୍ଧ ଥାଏ ବୋଧେ !!
ହେଇପାରେ ମଦ, ଗଞ୍ଜେଇ ଅବା ଝାଳୁଆ ଦେହର;
ମୁଁ ବାରିଦେଲି--
ଦେଶୀ ମଦର ଉତ୍କଟ ଗନ୍ଧ ତା ପାଟିରୁ;
ବାସ୍ ତା ଔକାତ୍ ମାପିଦେଲି;
ମୋ ଭିତରେ ଶୋଇଥିବା ସଂସ୍କାରୀ ମଣିଷଟା
ଅଳସ ଭାଙ୍ଗୁଥିଲା----
"ଛିଃ.. ମଦ ପିଇଛ ?
କେତେ କମଉଛ??
କାହିଁକି ପିଉଛ ???" ପଚାରି ଚାଲିଲି।
ସତରେ ଗରିବୀର ତୁଣ୍ଡ ନଥାଏ !!
ନିର୍ବାକ ଥାଏ ସବୁବେଳେ ;
ସେ ବି ସେମିତି--
ତା 'ହଁ' 'ନା'-- ଖାଲି ମୁଣ୍ଡ ଟୁଙ୍ଗାରିବା;
ହାତ ଯୋଡ଼ି ପଛକୁ ଘୁଞ୍ଚିଗଲା--
କଣ ଭାବିଲା କେଜାଣି,
ଏତେ ବର୍ଷାରେ ବି ଯିବାକୁ ବାହାରିଲା ।
ଗରିବୀ ପ୍ରତିବାଦ କରି ପାରେନି ବୋଧେ !!
ନିଜ ସୌକ ବି ନିଜର ନଥାଏ ;
ବାସ୍ ଯେମିତି ତାର ନ ଥିଲା --
>
ତା ଛିଡ଼ା ବ୍ୟାଗଟା ଖସି ପଡ଼ିଲା ହଡ଼ବଡ଼ିରେ--
ଝାମ୍ପି ପଡ଼ି ଉଠେଇ ନେଲା ;
"ଗଞ୍ଜେଇ ନା ମଦ ?"--ଇଙ୍ଗିତରେ ପଚାରିଦେଲି--
"ନା ବାବୁ! ପୁଡ଼େ ଭାତ ଆଉ ଡାଲି ----
ଖୋରାକି ମୋ ପରିବାରର।"
ଗରିବୀ ର ଭୋକ ବି ନ ଥାଏ !!
ଥାଆନ୍ତା ବା କେମିତି ??
ଯେତେ ଭୋକ ସେତିକି ଖଟଣୀ --
ତା ପାଇଁ ଖାଦ୍ୟ କେବଳ ଦଣ୍ଡେ ଘଡ଼ିଏ ବଞ୍ଚିବା ପାଇଁ--
ଖାଇ ସ୍ୱାଦ-ଉପଭୋଗ ପାଇଁ ନୁହେଁ ।
କେମିତି ନଜର ପଡ଼ିଗଲା
ତା କୋରଡ଼ପଶା ଆଖି ଦୁଇଟିରେ ;
ଆଖିରେ ସେ ସାଇତି ଥିଲା
କେଉଁ କାଳରୁ ଲୁହର ବନ୍ୟାଜଳ
ସହିଷ୍ଣୁତାର ବନ୍ଧବାଡ଼ ଦେଇ--
ମୋ ବେପରୁଆ ପ୍ରଶ୍ନରେ ଯା' ଭାଙ୍ଗିଗଲା ।
ଗରିବୀ ମନଖୋଲି କାନ୍ଦି ପାରେନା !!
ତା କାନ୍ଦକୁ ସେ ହୋଇ ଦେଖିବାକୁ ପଡ଼େ ;
ମୁଁ ବି ପୂରା ତୟାର ଥାଏ ଦେଖିବାକୁ--
ବିଚରା କାଲିଠୁଁ ଖାଇନି,
ତା ପୁଅ ଭାରିଯା ବି ତା ଭଳି ଖାଡ଼ା ଉପାସ ;
ବର୍ଷା ଲାଗି ଧନ୍ଦା ମାନ୍ଦା--
ଯାହା କମେଇଛି--ସେତିକି କିଣିଛି--
ନିଜ ଅପାରଗତାକୁ ଭୁଲିବାକୁ
ଟଙ୍କା ପାଞ୍ଚ୍ ର ଦେଶୀ ଚଢ଼େଇଛି ।
ମୁଁ ସେ ମୁହଁଟିକୁ ନିରେଖି ଦେଖିଲି
ମୋ ବଡ଼ଲୋକିର ଚଷମା କାଢ଼ି--
ବେଶ୍ ନିରୀହ ଥିଲା ସେ;
ଦେଖିଲି ମୋ ଆଗରେ ଯିଏ--
ସେ ଗରିବୀରେ ସଢ଼ୁଥିବା ବାପଟିଏ ଥିଲା..
ଆଉ ବାପ ବୋଲି ନିଜ ସହ ଲଢ଼ୁଥିବା
ଗରିବଟେ ଥିଲା ।।
ଫ୍ରାନସିସ ଶତପଥୀ