ଆମ ଗାଁ ଶୀତ
ଆମ ଗାଁ ଶୀତ
ଶୀତ ପାହାନ୍ତାରେ ଆମ ଗାଁ ଯେବେ ପହିଲି ଅଳସ ଭାଙ୍ଗେ,
ହାତେ ଓଢ଼ଣୀରେ ଗ୍ରାମବଧୂ ଆସି ପହଁରା ବୁଲାଏ ଦାଣ୍ଡେ ।
ଓଦା ମାଟିର ସେ ଜାଡୁଆ ପରଶେ ତନୁମନ ଯାଏ ଥରି,
ଜାକିଜୁକି ହୋଇ ଚାଦର ଘୋଡ଼େଇ ବାହାରେ ପାଇଟି କରି ।
ପକ୍ଷୀ କୂଳଙ୍କର କିଚିରି ମିଚିରି ଆବାହନୀ ମନ୍ତ୍ର ଗାଏ,
ନୂଆ ସକାଳର ନଵୋଦିତ ଭାନୁ ପ୍ରାଚୀ କୋଳେ ଶୋଭା ପାଏ ।
ଗୁହାଳ ଭିତରୁ କାଳିଆ କସରା କରୁଥାନ୍ତି ହମ୍ବାରଡ଼ି,
ଶୀତ କାକରକୁ ବେଖାତିର କରି ଚାଷୀ ଚାଲେ ପାଗ ଭିଡ଼ି ।
ବନା ପୁରୋହିତେ ଥୁରୁ ଥୁରୁ ହୋଇ ଫେରନ୍ତି ଗାଧୁଆ ସାରି,
ଓଦା ଲୁଗା ଲାଗି ପତଳା ଦେହରେ ଉଠଇ ଲୋମ ଟାଙ୍କୁରି ।
ଜରତି ଶୀତର ହେମାଳ କବଳେ ପାଟି ବାଜୁଥାଏ ଖନି,
ବିଷ୍ଣୁ ସ୍ତ୍ରୋତ୍ର ପଢ଼ି ଚନ୍ଦନ ଲଗାଇ ଯିବେ କରି ଜଯମାନୀ ।
ଆମ ଗାଁ ଶୀତ ଭାରି ମନଲୋଭା ଲେଖିଲେ ପୂରିବ ପୋଥି,
ଯେତେ ବେଶୀ ଭାବେ ସେତେ ବେଶୀ ହଜେ ମନେପକାଇ ସେ ସ୍ମୃତି ।।
ଫ୍ରାନସିସ ଶତପଥୀ