ଆଦର୍ଶ
ଆଦର୍ଶ
ଯୁଗେ ଯୁଗେ ଶିକ୍ଷାଦାନ ମହତ କରମ
ଗୁରୁ ଶିଷ୍ୟ ଭାବ ଅତି ଅନୁପମ l
ଗୁରୁକୁଳାଶ୍ରମୀ ଥିଲା ଦିନେ ଶିଷ୍ୟ ଜୀବନ
ସମାଜ ପୂଜୁଥିଲା ଗୁରୁ ଙ୍କ ଚରଣ l
ସକଳ ଆଦର୍ଶ ର ସମନ୍ୱିତ ରୂପ
ଅଜ୍ଞାନ ଅନ୍ଧାରେ ଗୁରୁ ଜ୍ୟୋତିର ସ୍ୱରୂପ l
ଉତ୍ତମ ଚରିତ୍ର ଗୁରୁ ବାସ୍ତବ ବିଭବ
ଦୀପଶିଖା ସମ ଅଟେ ତାଙ୍କରି ସ୍ଵଭାଵ l
ତାଦେଖି ପିତା ମୋର ବଳାଇଲେ ମନ
ଶିକ୍ଷକ ପଦେ ହେବା ପାଇଁ ପଦାସୀନ l
ବିଧିର ବିଧାନ କେବା କରିପାରେ ଆନ
ଅନ୍ୟ କର୍ମେ ବିତିଗଲା ତାଙ୍କରି ଜୀବନ l
ପିତାଙ୍କର ଅବଶୋଷ ଦହଇ ମୋ ମନ
ନିରନ୍ତର ଶିକ୍ଷାକ୍ଷେତ୍ରେ କଲି ମୁଁ ସାଧନ l
ଶେଷେ ଶିକ୍ଷୟତ୍ରୀ ପଦେ ହେଲିମୁଁ ଆସୀନ
ସନ୍ତୋଷ ହୋଇଲେ ପିତା ଲଭିଲି ସମ୍ମାନ l
ପଦଲୋଭେ ନଆଦରେ ମୁହିଁ ଏ କରମ
ପଦେଥାଇ ପଥ ହୋଇ ଅରଜିବି ଧର୍ମ l
ଜ୍ଞାନସିନ୍ଧୁକୁ ସଂଯୋଗ ପଥ ସାଜି ମୁହିଁ
ସେପଥେ ଗମିବେ ଜିଜ୍ଞାସୁ ଜ୍ଞାନସିନ୍ଧୁ ଚାହିଁ l
ନିଷ୍ପାପ ଶିଶୁଙ୍କ ମେଳେ ବିତିଯାଏ ଦିନ
ଆତ୍ମିକ ଆନନ୍ଦ ଦିଏ ଶିଶୁଙ୍କ ବଦନ l
ତାଙ୍କରି ବିକାଶେ ସଦା କରବି ଯତନ
ତେବେ ସିନା ବୋଲାଇବେ ଅମୂଲ୍ୟ ରତନ l