STORYMIRROR

Gyanendriya Dash

Comedy

3  

Gyanendriya Dash

Comedy

ଶୀରିମତୀ ଉପାଖ୍ୟାନ

ଶୀରିମତୀ ଉପାଖ୍ୟାନ

1 min
143

ଆମ ଶୀରିମତୀ ବିନ ବାଉଡ଼ି 

      କୁନୁ ବିରାଡ଼ି

      ଛିଣ୍ଡା ଦଉଡ଼ି

      ଟିକିଏ ବେଡ଼ି

ଉଚ୍ଚତା ଦେଖିଲେ ଅଟନ୍ତି ଗେଡ଼ି ।।

ଭାତରେ ଖାଆନ୍ତି କଞ୍ଚା କରଡ଼ି 

      ଲିଆର ବଡ଼ି

      ପୁଣି କାକୁଡ଼ି

      ମିଠା ରାବିଡ଼ି

ଖଟା ନ ଥିଲେ ସେ ଦିଅନ୍ତି ରଡ଼ି ।।

କଥା କହୁଥାନ୍ତୁ ଆଁ କୁ ଫାଡ଼ି 

     ହୋଇ କଚାଡ଼ି

     ତଳରେ ଗଡ଼ି

     ହାତକୁ ଝାଡ଼ି

ରାଗିଗଲେ ଟିକେ ଧରନ୍ତି ବାଡ଼ି ।।

ସିଏ ପିନ୍ଧନ୍ତି ସିଂଥେଟିକ ଶାଢ଼ୀ 

     ଇଏଲୋ ଧଡ଼ି

     ଗିରିନ ଚୁଡ଼ି

     ଏଚ.ଏମ.ଟି. ଘଡ଼ି

ସିଙ୍ଗାର ନ ଦେଲେ ଯାଆନ୍ତି ଚିଡ଼ି ।।

ଆମ ଶୀରିମତୀ ଟିକେ ନାକିଡ଼ି 

      ଫଟା କଉଡ଼ି

      ଚତୁରୀ କେଡ଼ି

      ଯୁବତୀ ବୁଢ଼ୀ

ରାତିରେ ଶୁଅନ୍ତି ମାରି ଘୁଙ୍ଗୁଡ଼ି ।।

ଯେବେ ଦେଖନ୍ତି ମୋ ନିଶ ଦାଢ଼ି 

      ଉଠି ଓ ପଡ଼ି

      ଦେଇ ଘଉଡ଼ି

      ଆସନ ଛାଡ଼ି

କହନ୍ତି କାଟିକି ଆସ ବାହୁଡ଼ି ।।

ଖାଇ ବସିଲେ ମୁଁ ଆସନ ମାଡ଼ି 

     ଲୁଣି ଖେଚୁଡ଼ି

     ଦିଅନ୍ତି ବାଢ଼ି

     ଦାନ୍ତ ନେଫଡ଼ି

ବସିଥାନ୍ତି ପାଶେ ପିଠିକୁ ଆଡ଼ି ।।

ପୁତୁରାଙ୍କ ସିଏ ଅସଲ ଖୁଡ଼ି 

     ଚନ୍ଦନ ପେଡ଼ି

     ଗୋଲାପ କଢ଼ି

     ମୁଣ୍ଡ ପଗଡ଼ି

ପଢ଼ାନ୍ତି ସେମାନେ ବସିଲେ ପଢ଼ି ।।

ପାନ ଖାଇ ଖାଇ ଦାନ୍ତର ମାଢ଼ି 

      ଗଲା ଉଜୁଡ଼ି

      ମଜାକ ଥୋଡ଼ି

      ଉଡ଼ାଉଁ ଗୁଡ଼ି

ଆମେ ଦୁହେଁ ପରା ସୁନ୍ଦର ଯୋଡ଼ି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy