ଶେଷରୁ ଆରମ୍ଭ
ଶେଷରୁ ଆରମ୍ଭ
ଘନ ଅନ୍ଧକାର ରାତି ପରେ
ସକାଳ ଆସେ
ପୂର୍ବ ଦିଶେ ସୂର୍ଯ୍ୟ ଉଏଁ
ଏକ ଶେଷରୁ ପୁଣି ଆରମ୍ଭ ହୁଏ
ନୂଆ ଏକ ଦିବସ
ଅବରୋହ କ୍ରମରେ ଓହ୍ଲାଇ ଆସି
ଚେତନାର ଆଶା ଆକାଂକ୍ଷରୁ
ଯୋଜନାର କରିବାକୁ
ହୁଏ ବିକାଶ ପରିପ୍ରକାଶ
ବିବାହର ପବିତ୍ର ବନ୍ଧନରେ
ବାନ୍ଧି ନୂଆ ସଂପର୍କକୁ
ଜୀବନର ନୂଆ ଅଧ୍ୟାୟ ସବୁ
ଶେଷରୁ ଆରମ୍ଭ ହୁଏ
ଏକା ଏକା ବିତାଇଥିବା ଦିନ
ହୋଇ ଯାଏ ଶେଷ
ଯୁଗ୍ମ ଜୀବନ ନୂଆ ପରିଚୟରେ
ଶେଷରୁ ଆରମ୍ଭ ହୁଏ
ପରିବାରର ପରିକଳ୍ପନା
ସ୍ବପ୍ନକୁ ବାସ୍ତବରେ ପରିଣତ
କରିବାର ନବ ଅଭିଯାନ
ସଂଘର୍ଷ ଭିତରେ ଖୋଜିବାକୁ
ହୁଏ କଳ୍ପିତ ଜୀବନ
ଆରମ୍ଭରୁ ଶେଷ ପୁଣି
ଶେଷରୁ ଆରମ୍ଭ ହୋଇ ଚାଲେ
ଗତି ପ୍ରଗତି ଅଗ୍ରଗତି
ଚକ୍ରାକାରରେ ଜୀବନର
ହେଉଥାଏ ଘୂର୍ଣ୍ଣନ
ଶୂନ୍ୟତାର ଆସେନା ପୂର୍ଣ୍ଣତା
ଆଶା ଆସକ୍ତି ସବୁ
ଆଂଶିକ ରହେ
ଇପ୍ସା ଲିପ୍ସା ଅଭିପ୍ସା
ପିପାସା ପରେ ପିପାସା
ଜିଜ୍ଞାସା ପରେ ଜିଜ୍ଞାସା
କେଉଁଠି କାହାର ଆରମ୍ଭ
କେଉଁଠି ହୁଏ ଶେଷ
ହୁଏନା ବୋଧଗମ୍ୟ
ରଖି ହୁଏନା ଭାରସାମ୍ୟ
କାମ୍ୟ ରମ୍ୟ ଅଦମ୍ୟ
ଗମ୍ୟ ଅଗମ୍ୟ ମଧ୍ୟରେ
ସଦା ରହିଥାଏ ତାରତମ୍ୟ
କ୍ରମାଗତ ଇତିବୃତି
ମାନସିକତାରେ ରଖି
କର୍ମରେ ଶୁଭ ଲାଭ
ହୁଏ ସବୁ ଶେଷରୁ ଆରମ୍ଭ।
