ଶେଷ ପ୍ରଣାମୀ
ଶେଷ ପ୍ରଣାମୀ
ଗଛ ମୂଳେ ପଡିଥିବା
ଶୁଖିଲା ପତ୍ର ଦେଖିଥିବ
ତଡ଼ାଖିଆ ବୃନ୍ତଚ୍ୟୁତ କଷରା
ହଳଦିଆ ମୋଡ଼ା ମକଚା ଚିରା
ବାସି ପତ୍ର ପରି
ଅଦରକାରୀ ଅବୋଲକରା
ଦଳା ମକଚା ଖାଇ ଦରମରା
କେବେ ପାଇଥିବ ଅଧାମରା
କେବେ ପବନରେ ଉଡୁଥିବ ଦୌଡୁଥିବ
ହୋଇ ଆତୁରା ଆତ୍ମହରା ।
ଶୁଷ୍କ ପତ୍ର ମାନେ ସବୁ
ବୟସ୍କ ପ୍ରାପ୍ତବୟସ୍କ ମାନଙ୍କ ପରି
ଅଦରକାରୀ ଲାଗୁଥିବେ
ଜାଳ ଇନ୍ଧନ ହେବେ
ଚୁଲିରେ ରନ୍ଧନ ସହାୟକ ହେବେ
ଖତ ହେବେ
ସଢିଗଲେ ପଚିବେ ବରଂ
ବେଶିଦିନ ମାଟିରେ ପଡି ରହିଲେ
ଉଇ ଲାଗିବେ ବରଂ
ଅନ୍ୟ କଉଁ ଦରକାରୀ କାମରେ
ଲାଗିବା ଦେଖିନି ।
ମାତ୍ର ମୋ ଜେଜେବାପା କୁହନ୍ତି
ଶୁଖିଲା ପତ୍ର ଧରି ପାରେ
ଅଗ୍ନି ସ୍ଫୁଲିଙ୍ଗ
ଶୁଖିଲା ଗଛ ଡାକ ପବନ ତାଳରେ
କରିଲେ ଘର୍ଷଣ ସଙ୍ଗ
ବାଡ଼ବାଗ୍ନୀ ଆରମ୍ଭୀ
ସାରିପାରେ ଘଞ୍ଜ ଜଙ୍ଗଲ ନିଃସଙ୍ଗ ।
ଶୁଖିଲା ପତ୍ର ସବୁ ତ୍ୟାଗର ଉଦାହରଣ
ନିଜେ ମାଟି ମନସ୍କ ହୋଇ
ଆଗାମୀ କାଳିର କଅଁଳା ମାନଙ୍କ ପାଇଁ
ପଥ କରନ୍ତି ସୁଗମ ସରଣ
ନିଜେ ବରଂ ଖସିବେ ମରିବେ
ବଂଶ ବୃଦ୍ଧି କରିବେ ହିଁ କରିବେ
ନଛୋଡ଼ବନ୍ଧା ମିଜାଜର
ପ୍ରକୃତିଛଡ଼ା ସ୍ବଭାବର ।
ଶୁଖିଲା ପତ୍ରମାନେ ପ୍ରକୃତିର ଅନୁଗାମୀ
ଅନୁସରଣ କରିବା ବଦଳରେ
ଅନୁଗମନ କରିବା ବଦଳରେ
ପରିହାସ ଶୁଣିବା ବହୁ ପୂର୍ବରୁ
ନିଜେ ଖସି ପଡନ୍ତି ଶ୍ମଶାନଗାମୀ ।
ତିଳ ତିଳ ହୋଇ ମରିବେ ପଛେ
ଶରଣାଗତ ହେବେ ମାଟି ମା' କୋଳେ
କରିବେ ଶେଷ ପ୍ରଣାମୀ
ଧରଣୀ ମାତାର ପଣତ କାନିରେ
ପୋଛିଦେଇ ସବୁ ଗ୍ଳାନି
ମୃତ୍ୟୁପଥଗାମୀ ନମାମୀ ।
