ଶବ୍ଦ ଜାଲ
ଶବ୍ଦ ଜାଲ
ବାରମ୍ବାର ମାନସ ପଟ୍ଟରେ ଉଙ୍କିମାରି
ବିସ୍ମୃତ ହୋଇଯାଇ
ପୁନଃ ଚକର ମାରୁଥିବା ଶବ୍ଦର ସମ୍ଭାରଗୁଡିକୁ
କାବୁ କରିବାପାଇଁ, ଅଭିନନ୍ଦିତ କରିବା ପାଇଁ
ମଳି ପରି ଫୁଲମାନଙ୍କ ସମନ୍ୱୟ ରକ୍ଷାକରି
ନୂତନତ୍ଵ ସୃଷ୍ଟି ସର୍ଜନା କରିବାପାଇଁ
ବିକ୍ଷିପ୍ତ ମନକୁ କେନ୍ଦ୍ରୀଭୂତ କରି
ମୁଁ ଧୃତ ବ୍ୟାଧ ପରି ଜଗିରହିଲି ।
ଏହିଥର ଟ୍ରାଙ୍କୁଲାଇଜି କରି
ବେହୋସ କରିଦେବି ଶବ୍ଦମାନକୁ
ମନଇଚ୍ଛା ସଜାଇବି ବେଣୀରେ, ଗଭାରେ ,ସିଂଥିରେ
କରଲେଉଟାଇ ଚୁମ୍ବନଦେଇ
ଅବଶିଷ୍ଟ ବାକି ଜୀବନ ପାଈଁ ସଂଳାପ ଲେଖିବି ।
ତୁରିନଦୀ କୂଳ, ସହିଦମୀନାର ସନିକଟ
ପୌଷର ଏକ ଗୋଧୂଳି ଲଗ୍ନରେ
ଶାନ୍ତ ଓ ଏକାନ୍ତ ପରିବେଶରେ
ଶବ୍ଦମାନେ ଗାଇ ଗାଇ ଲୁଚି ଲୁଚି
ବୋହୁଚୋରି ଖେଳୁଥିବାର ଲକ୍ଷକରି
ମୁଁ ଏକ ଶବ୍ଦଭେଦୀ ବାଣ ଛାଡ଼ିଲି ।
ମୋର ଏକାଗ୍ରତାର ତୀରରେ
ଖସିପଡୁଥିବା ଶବ୍ଦଟିକୁ ତୋଳିଧରି
ପ୍ରକୃତିସ୍ଥ କରି ପଚାରିଲି,ହେ ପ୍ରିୟତମ
ତୁମେ ମୋ ଗୀତର, ଅସଜଡା ପଂକ୍ତିରେ
ମୋ ଜୀବନର ବେସୁର ରାଗିଣୀକୁ
ଛନ୍ଦମୟ ,ରଙ୍ଗମୟ,ରସମୟ କରିବାକୁ
ପ୍ରୟାସ କରନ୍ତେ,ସେ ହସିଲା
ସେ ହସ ଥିଲା ମାଦକତା ଭରା
ସେ ସ୍ପର୍ଶ ଥିଲା ଉଷ୍ଣ କିନ୍ତୁ,ରୋମାଞ୍ଚିତ ପରା ।
ଅଶାର ହାତ ପ୍ରତ୍ୟାଶା
ପ୍ରତ୍ୟଶାର ହାତ ପ୍ରତାରଣା ଧରିଥିଲା
ସମୟ ପ୍ରଯୋଜକ ରୂପେ
କ୍ରୀଡା ପରିଚାଳନା କରୁଥିଲା ।
