ସେ'ତ ଆମ ଖୁସିଟିଏ
ସେ'ତ ଆମ ଖୁସିଟିଏ
ଗୀତ ଗାଏ ପିକ
କୁହୁ କୁହୁ ମିଠା ସୁରେ
ଶୁଣୁ ବା ନ ଶୁଣୁ କିଏ
ତା'ର ଗୋଟେ ଖୁସି ଇଏ ।।
ବହିଯାଏ ଝର
ସାଥେ ଆଣି ସଫା ଜଳ
ପିଉ ବା ନ ପିଉ କିଏ
ତା'ର ଗୋଟେ ଖୁସି ଇଏ ।।
ଫୁଟିଯାଏ ଫୁଲ
ଚହଟାଇ ଦେଇ ବାସ
ନେଉ ବା ନ ନେଉ କିଏ
ତା'ର ଗୋଟେ ଖୁସି ଇଏ ।।
ଢାଳିଦିଏ ମେଘ
ଅସରା ଅସରା ପାଣି
ଭିଜୁ ବା ନ ଭିଜୁ କିଏ
ତା'ର ଗୋଟେ ଖୁସି ଇଏ ।।
ଛାଇ ଦିଏ ଗଛ
ନିଦାଘରେ ସୁଶୀତଳ
ବସୁ ବା ନ ବସୁ କିଏ
ତା'ର ଗୋଟେ ଖୁସି ଇଏ ।।
ପାଚିଯାଏ ଫଳ
ସୁଆଦିଆ ରସ ଭରି
ଖାଉ ବା ନ ଖାଉ କିଏ
ତା'ର ଗୋଟେ ଖୁସି ଇଏ ।।
ଜଳି ଉଠେ ଦୀପ
ତିମିର ଦେବାକୁ ତଡି
ବୁଝୁ ବା ନ ବୁଝୁ କିଏ
ତା'ର ଗୋଟେ ଖୁସି ଇଏ ।।
ଉଇଁ ଆସେ ଶଶୀ
ରୁପେଲି ଜୋଚ୍ଛନା ଧରି
ହଜୁ ବା ନ ହଜୁ କିଏ
ତା'ର ଗୋଟେ ଖୁସି ଇଏ ।।
ରାତି ଆଣେ ନିଦ
ସପନଟା ଆସେ ନିଦେ
ଦେଖୁ ବା ନ ଦେଖୁ କିଏ
ତା'ର ଗୋଟେ ଖୁସି ଇଏ ।।
କରି ଚାଲିଥିବା
ଭଲ କାମ ଅବିରତ
ବାହାବା ନ ଦେଉ କିଏ
ସେ'ତ ଆମ ଖୁସିଟିଏ ।।
