ସେ ସୌଭାଗ୍ୟ କାହିଁ
ସେ ସୌଭାଗ୍ୟ କାହିଁ
ତୁମ ଆଖିରେ ତ କେବେ ବି
କିଛି ଖୋଜି ପାଏନି
ତଥାପି ଉଦୁବାର୍ଯ୍ଯ ଆକାଂକ୍ଷାକୁ
ହୃଦୟରେ ଚାପିଧରି ତୁମର ସେହି
ଦୁଇ ନିଶ୍ଚଳ ଆଖିରେ ଖୋଜି ଚାଲିଥାଏ
ନିଜ ପାଇଁ ସାଇତା କିଞ୍ଚିତ ଦୁର୍ବଳତାକୁ ।
ହେଲେ ସେ ଆଖିରେ ବୁଡ଼ି
କିଛି ତଲାସିବା ଆଗରୁ
ତୁମେ ଫେରାଇ ନିଅ ନଜର
ମୋତେ ବି ଫେରିବାକୁ ହୁଏ
ଲାଙ୍ଗୁଡ଼ ଗୁଞ୍ଜି ନିଜର ସିମୀତ ପରିଧିକୁ ।
ପୁଣି ଅପେକ୍ଷା କରି ବସେ ଏକ ସୁଯୋଗକୁ
ଆଶା ବାନ୍ଧେ କି ଦିନେ ନିଶ୍ଚୟ
ତୁମର ସେହି ଆଖିର ଶୁନଶାନ୍ ଆକାଶରୁ
ପ୍ରିତୀର ଅଲିଭା ଇନ୍ଦ୍ରଧନୁଟିଏ ଦୃଶ୍ୟହେବ ।
ହଁ ହଁ ତୁମକୁ ଦିନେ ଆସିବାକୁ ହେବ
ସବୁ ବନ୍ଧକୁ ଭାଙ୍ଗି , ବେଡ଼ିକୁ ଛିଡ଼ାଇ
ସେବେ ତୁମ ଅପେକ୍ଷାରେ ବସିରହି
ମୁଁ ଆଉ ନଦୀ ହୋଇ ବହୁନଥିବି
ସିନ୍ଧୁ ପାଲଟି ସାରିଥିବି କେବେ ଠୁଁ ।
ତୁମ ବିରହ ବ୍ଯର୍ଥତାର ଲହଡ଼ିମାନ
ଲଗାତାର ବଢ଼ିବାକୁ ଲାଗିଥିବ ହୃଦୟ ଗର୍ଭରେ
ତୁମ ଶୀତଳ ନିର୍ମଳ ଆଉ ମିଠା ଜଳର ତୃଷ୍ଣା ,
ଅଭିପ୍ସାରେ ଗର୍ଜିଚାଲିଥିବ ସେ ଅବିଶ୍ରାନ୍ତ ।
ତୁମେ ମିଶିଗଲେ ହୃଦୟ ମନରେ ଥରେ
ଲୁଣିଅଂଶ ସବୁ ତା'ର ସୁମଧୁର ହୋଇ ଉଠିବ
ଜନ୍ମ ଜନ୍ମାନ୍ତରର ଅପେକ୍ଷାର ବି ଅନ୍ତ ଘଟିବ
ହେଲେ ସମୁଦ୍ରର ସେ ସୌଭାଗ୍ୟ କାହିଁ ?