ସଦ୍ ଗତି
ସଦ୍ ଗତି
ଧନମଣି ମୋର ହୃଦର ଚନ୍ଦନ
କାହିଁକି ବାଇଆ ହେଉଛୁ ଏତେ
ଏଇ ଜୀବନ କିଛି ନୁହେଁ ଧନ
କିମ୍ପାଇ ଦୌଡ଼ୁ କି ଲାଭ ଅର୍ଥେ ?
ମୋର ମୋର ବୋଲି କହୁ ଯାହା
କିଏ କହ ତୋର ଶେଷ ଜୀବନେ
ତୋ ସାଥେ ଯିବ ମଶାଣୀକୁ ବାବୁ
ଖୋଜି ପାଇବୁ କି ଏମିତି ଜନେ ?
ଅଧା ବାଟ ଚାଲି ଆସିଲୁଣି ତୁ ଯେ
ତାର ଦେଖା କାହିଁ ପାଇଲୁ ନାହିଁ
ଘନ ଘୋର ଏଇ ସଂସାର ଅରଣ୍ୟେ
ପାଦ ଘୋଷାରି କେତେ ଚାଲୁଛି ତୁହି ?
ଡାଏକେ ବାବୁରେ ମନର ମିତ କୁ
ସହଳ ଆସିବ ସଞ୍ଜ କରିବ ନାହିଁ
ଅରଣ୍ୟଟି ଭାରି ଶ୍ବାପଦ ସଙ୍କୁଳ
କି ସ୍ୱାର୍ଥେ ଚାଲିବୁ ଏକ ତୁ ହୋଇ ?
ଅଳିକ ଦୁନିଆଁ ବୁଦ୍ ବୁଦ୍ ଜୀବନ
ଦଉଡ଼ି ମରୁଛୁ ପଡି ଲୋଭରେ
ମୋର ମୋର ହୋଇ ହୁରି ଛାଡ଼ୁଛୁ
ମୋର ବୋଲି କିଛି ନାହିଁ ସଂସାରେ।
ସବୁ ମିଛ ମଧ୍ୟରେ ଗୋଟିଏ ସତ
ପରମପୁରୁଷ ସେ ପରମ ଆତମା
ତା ପଦରେ ଧ୍ୟାନ ଦେଲେ ଧନ ମଣି
ଲଭିବୁ ସଦ୍ ଗତି ମିଛ ନୁହେଁ ଏ ଜମା।