STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ସବୁ ଲେଖାଅଛି ବହିରେ

ସବୁ ଲେଖାଅଛି ବହିରେ

1 min
230

ଗୁଡି ଛିଡିଗଲେ ଖସି ଖସି ଯାଏ

    ପଡିଯାଏ ଯାଇ କୋଉଠି

ତେଲ ସରିଗଲେ ଗଡେ ନାହିଁ ଗାଡ଼ି

    ରହିଯାଏ ଥାଏ ଯୋଉଠି ।।


କହିଦେଲେ ସବୁ କହିବା ପାଇଁକି

    କିଛି କଥା ଆଉ ନଥାଏ

ବାଟ ଚାଲି ଚାଲି ଘରେ ପହଞ୍ଚିଲେ

    ଗୋଡ ଦୁଇ ଭାରି ବଥାଏ ।।


ସଞ୍ଜ ନଇଁଗଲେ ସୂରୁଜ ଆଲୋକ

    ଖୋଜିଲେ ଆଉ ତ ମିଳେନା

ଯିଏ ହେଲେ ହେଉ ପୁରିଥିଲେ ପେଟ

    ଯାହା ଦେଲେ ଆଉ ଗିଳେନା ।।


ଧନ ଯଦି ନାହିଁ ଯାତରା ବୁଲାରେ

    ମନ କିବା ଆଉ ଲାଗଇ

ଭିକ ମିଳିଗଲେ ଭିକାରିଟି ଫେରେ

    ଆଉ କି ସେ ମୁଠେ ମାଗଇ ।।


ରାତି ଗଲେ ପାହି ଆଉ ଡେରି ନାହିଁ

    ତାରାମାନେ ଲୁଚି ଯାଆନ୍ତି

ଶୀତ ଫେରିଗଲେ କୁଆଡେ ଥାଆନ୍ତି

    ପିକମାନେ ଆସି ଗାଆନ୍ତି ।।


ନଈ ଶୁଖିଗଲେ ଅଲୋଡା ହୋଇକି

    ପଡି ରହିଥାଏ ନାଆଟା

ଅଣ ଦେଖା କଲେ ଧୀରେ ଧୀରେ ଧୀରେ

    ବଡ ହୋଇଯାଏ ଘାଆଟା ।।


ଯାହା ପରେ ଯାହା ଘଟିବାକୁ ଥାଏ

     ଘଟୁଥାଏ ତାହା ମହୀରେ

ବାକିତକ ଯେତେ ପଢିଲେ ଜାଣିବା

    ସବୁ ଲେଖାଅଛି ବହିରେ ।।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational