ସ୍ଵାଧିନତା ଦିବସ
ସ୍ଵାଧିନତା ଦିବସ
ରିମି ଝିମି ଝିମି ଟୁପୁରୁ ଟୁପୁର ଶ୍ରାବଣ ବରଷା ରାତି
ବେଙ୍ଗ ଗରଜନ ଘଡଘଡି ରଡି ଭୟେ ଥରିଉଠେ ଛାତି
ସହର ତଳିର ଝୁମ୍ପୁଡି ଘର ମୋ ଜରି ପାଲଟଣା ଛାତ
ନର୍ଦମା ପାଣିରେ ଲହରୀ ମାରଇ ଦାଣ୍ଡ ଆଉ ବାରି ପଟ ।
ସନ୍ତସନ୍ତିଆ ମୋ ଘରର ଚଟାଣ ଡିବିରି ବତୀ ଆଲୋକ
ମୋ ଘର ପାଖରେ ସାଆନ୍ତ ଙ୍କ ଘରେ ବିଜୁଳି ବତୀ ଚମକ
ବାସି ପଖାଳକୁ ପିଆଜ ଲୁଣରେ ପେଟ ମୋ ପୁରାଇ ଦିଏ
ସାଆନ୍ତ ଘରୁ ଖାସି ମାଉଁସର ବାସନା ସୁରଭୀ ବହେ ।
ଆଜି ତ ଅଗଷ୍ଟ ପନ୍ଦର ଉତ୍ସବ ପାଳନ୍ତି ସଭିଏଁ ଏଠି
ସାଆନ୍ତ ଙ୍କ ଘର ଛାତରେ ତ୍ରିରଙ୍ଗା ପତାକା ତ ଉଡୁଅଛି
ମୁଁ ତ ଖଟିଖିଆ ଏତେବଡ ସୁଖ ସପନ ଦେଖିବି କିଆଁ
ହର୍ମ୍ୟ ରମ୍ୟ ଶାଳା ସପନୁ ସପନ କାହିଁ ଦୟା କାହିଁ ମାୟା ।
ସ୍ଵାଧିନ ଭାରତ ଜୟଜୟ କାର ଉଛୁଳି ଉଠେ ସହର
କିଏ ଦେଖୁଛି ମୋ ଝାଟି ମାଟି କାନ୍ଥ ଜରି ପାଲ ଦିଆ ଚାଳ
କିଏ ଭାତ ମାଂସ ଛଅ ତରକାରି ନଅ ଭଜା ଖାଇ ମଜା
କରୁଅଛି ମୋର ବାସି ପଖାଳକୁ ଲୁଣ ଆଉ ଶାଗ ଭଜା ।
ସବୁଠି ଉଡୁଛି ତ୍ରିରଙ୍ଗା ପତାକା ମୋ ଘର ପଡିଛି ଖାଲି
କିଏ କହୁଥିଲା ଶୁଣିଛି ସମସ୍ତେ ଉତ୍ସବ ପାଳିବେ ବୋଲି
ସ୍ଵାଧିନ ହେବାର ପଞ୍ଚସ୍ତରି ବର୍ଷ କେମିତି କିଏ ସ୍ଵାଧିନ
କାହିଁ ସ୍ଵାଧିନତା କେଉଁ ଉଢାଳରେ ଲୁଚି କରେ ହୀନିମାନ ।
ରୋଜଗାର ନାହିଁ ଖାଇବାକୁ ନାହିଁ ବାସ ନାହିଁ ରହିବାକୁ
ସାତ ସିଆଁ ଲୁଗା କୋତରା ପିନ୍ଧଇ ଖାଲି ଲାଜ ଲୁଚିବାକୁ
ମୋ ଘର କନିଆଁ ସଭିଙ୍କର ଶାଳୀ ପରଘରେ ବାସି କାମ
କରି ନିତି ନିତି ସୁଖରେ ଦୁଃଖରେ ହୁଏ ଆମ ଗୁଜୁରାଣ ।
ଏ କେଉଁ ସ୍ଵାଧିନ ହେଲା କେଉଁଦିନ ବୁଝେନା ଅର୍ଥ ତାହାର
ଦୁନିଆଁ ଦୁଆରେ ଅବହେଳିତର ଜୀବନଟା ନାରଖାର
ତଥାପି ସ୍ଵାଧିନ କୁହନ୍ତି ସବୁଠି ଉଡାଉଛନ୍ତି ପତାକା
ସତେକି ସ୍ଵାର୍ଥୀର ସ୍ଵାର୍ଥରେ ଏବେଠୁ ପଡିଯିବ ଯବନିକା ।
ସତେକି ପୂରୁବ ଦିଗ୍-ବଧୁ ଲଲାଟେ ସତ୍ୟ ଧରମ ଦେବତା
ଉଦିତ ହେବେକି ଶ୍ରମିକ କୃଷକ ସୈନିକ ଭାଗ୍ୟ ସବିତା
ଏ ଉତ୍ସବ ଦେଖି ମନେ ଯାଗିଉଠେ ହୋଇବକି ଦୁଃଖ ଦୂର
ଦେଖିବି କାଲିକି କାମକୁ ଯାଉଛି ବେଳ ହେଲାଣି ଉଛୁର ।