STORYMIRROR

Jagannath Barik

Inspirational

3  

Jagannath Barik

Inspirational

ସ୍ୱାଭିମାନ ଦିବସ ଅବସରେ

ସ୍ୱାଭିମାନ ଦିବସ ଅବସରେ

1 min
219

ଆଉଥରେ ତୁମେ ଆସ ମଧୁବାବୁ

   ଆଉଥରେ ତୁମେ ଆସ

ଉତ୍କଳ ଗୌରବ ବିତରି ସୌରଭ

    ରଚିଯାଅ ଇତିହାସ |(0)

ତୁମରି ସ୍ୱପ୍ନର ନବ ଉତ୍କଳର

    ଦେଖିଯାଅ ଆଜି ସ୍ଥିତି

ନଦ ନଦୀ ଭରା ଖଣିଜ ଅସରା

    ମାଟିର ଘୋର ଦୁର୍ଗତି

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

   ରାଜ୍ୟେ ଉଜୁଡିଛି ଚାଷ |....(1)

ଚାଷରୁ ବିମୁଖ ଆଜିର ଯୁବକ

    ଅନ୍ୟ ଜୀବିକା ନପାଇ

ଛାଡ଼ି ଭିଟାମାଟି ଦାଦନ ଖଟୁଛି 

   ପଡୋଶୀ ରାଜ୍ୟକୁ ଯାଇ 

ସ୍ଵର୍ଣ୍ଣ ପ୍ରସୂ ବୀର ପ୍ରସୂ ଉତ୍କଳକୁ

    ଭାଗ୍ୟର ଏ ପରିହାସ... (2)

ସବୁ ଆମ ଥାଇ କିଛି ତ ନଥାଇ

    ପଡ଼ି ଯୋଗାଣ ଭରସା

ଟଙ୍କିକା ଚାଉଳ ପାଞ୍ଚ ଟଙ୍କି ଅନ୍ନ

    ମାଗଣାରେ ସହାୟତା

ବଢ଼ାଏ ଆଳସ୍ୟ କଢ଼ାଏ ବିଳାସ

   ସିଂହ ଶିଶୁ ଆଜି ଶଶ.. (3)

ତୁମକୁ ହରାଇ କାନ୍ଦେ କଇଁ କଇଁ

   ଆଜି ବି ଉତ୍କଳ ମାତ

ଉଡ଼ିଛି କର୍ପୁର ପଡ଼ିଅଛି କନା

   ଅତୀତ ଝୁରେ ନିରତ

ଆସ ଅବତରି ହେ ବୀର କେଶରୀ

    ଦୂରକର ଜାତି ପ୍ରାସ |....(4)

କାନ୍ଦେ ସିଂହଭୂମି ଖରସୁଆଁ ସହ

  ଦୁଃଖିନୀ ସଢ଼େଇକଳା

ବଙ୍ଗରେ ଆନ୍ଧ୍ରରେ ଓଡିଆ ଭାଷିତ

   ଲଭନ୍ତି ଦୁଃଖ ଅସରା

ପୂର୍ଣ୍ଣାଙ୍ଗ ଉତ୍କଳ ଗଢ଼ି ମହାବଳ

  ଦେଖାଇ ଦିଅପୌରୁଷ |.....(5)

ଜାତି ଇତିହାସ ଜାତିର ନିର୍ଝର

   ଝରୁ ଜାତି ପ୍ରାଣଧାର

ପର ପଦାନତ ପର ଆନୁଗତ୍ୟ

   ଜୀବନ ଶବ ପ୍ରକାର 

ବଢ଼ା ସ୍ୱାଭିମାନ କଳିଙ୍ଗ ସନ୍ତାନ

   ବୀର ବାର୍ତ୍ତା ପରକାଶ |....(6)

ଆହେ କୁଳବୃଦ୍ଧ ଶ୍ରୀମଧୁସୂଦନ

   ପ୍ରଥମ ଓଡିଆ ପୁଅ 

ସ୍ୱତନ୍ତ୍ର ଉତ୍କଳ ଆଦ୍ୟ ରୂପକାର

  ବାହି ଜାତି ପ୍ରେମ ସୁଅ

ପୁଣ୍ୟ ଜୟନ୍ତୀରେ ଡାକୁ ଏକସ୍ୱରେ

   ଆସ ମହାତ୍ମନ ଆସ |....(7)

ବିଦ୍ୟାର ନଗରୀ କଳା କାରିଗରୀ

   ଜ୍ଞାନ ବିଜ୍ଞାନର ଖଣି

ଭାରତ ସର କମଳ ଏ ଉତ୍କଳ

   ରାଇଜରେ ରାଜରାଣୀ

ବ୍ରହ୍ମ ଦାରୁ ହରି ଯହିଁ ବିଜେ କରି

   ପୁରାଇବେ ଆମ୍ଭ ଆଶ |....(8)


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational