ରକ୍ଷାବନ୍ଧନ
ରକ୍ଷାବନ୍ଧନ
ଗୋଟେ ଅଗଣାରେ ଖେଳୁଥିଲେ ଆମେ
ପିଲାଟି ଦିନରୁ କେତେ
ଲୁଚିଯାଉଥିଲୁ କବାଟ କଣରେ
ଖୋଜୁଥିଲି ମୁଁ ତତେ ।
ଜନମ ଦିନରେ ହେଲେ ନୂଆ ଜାମା
ଖୁସିରେ ତୁ ନାଚି ଯାଉ
କାନ୍ଦି ଗଡ଼ିଯାଏ ଅଝଟିଆ ହୋଇ
ମତେ ବି ଆଣିଦେ ବଉ ।
ଘରେ ମାଛ ଭଜା ହେଲେ କେବେ
ଯଦି ବଉ ମତେ ଦିଏ ଗୋଟେ
ତୁ କହୁ ରାଗରେ ତାଟିଆ କଚାଡି
ଖାଇବିନି ଆଜି ମୋଟେ ।
ରାକ୍ଷୀ ବନ୍ଧନରେ ବାନ୍ଧିଲେ ତୁ ରାକ୍ଷୀ
ଖୋଇ ଦେଇ ମିଠାଟିଏ
ଗୋଡେଇ ଗୋଡେଇ ମତେ ଭିଡ଼ି ନେଇ
କହୁ ତୁ ପାଉଣା ଦିଏ ।
ମୋ ଗେଲ୍ଲୀ ଭଉଣୀ ସୁନା ନାକି କହି
ମନାଏ ଚୁମ୍ବନ କରି
ବଡ଼ ହୋଇଗଲେ ତତେ ଆଣିଦେବି
ଶାଢ଼ୀ ପାଟ ଲଗା ଜରି ।
କାଲି ଥିଲୁ ଆମ ଅତି ଆପଣାର
ଆଜି ହେଇ ଗଲୁ ପର
ସେନେହଁ ମମତା ଅଗଣାକୁ ଭୁଲି
ଚାଲିଗଲୁ ଶାଶୁଘର ।
ବାନ୍ଧି ଗଲୁ ନାହିଁ ରାକ୍ଷୀ ମୋ ହାତରେ
ରକ୍ଷା କବଚ ଟେ ଦେଲୁ
ଘୃତ ଦୀପ ଆଉ ଫୁଲ ଚନ୍ଦନରେ
ମତେ ତୁ ବନ୍ଦାଣ କଲୁ ।
ଭଉଣୀଲୋ ତୋର ରାକ୍ଷୀର ମହତ୍ଵ
ରଖିବି ସାରା ଜୀବନ
ଆସିବାକୁ କେବେ ଦେବି ନାହିଁ ମନେ
ଆଜୀବନ ବାଧା ବିଘ୍ନ ।