ରଜମଣ୍ଡା
ରଜମଣ୍ଡା
ମଣ୍ଡା ମୋର ନାମ ମୁହିଁ ସରଗର ଫଳ l
ଧବଳ ଦେହଟି ମୋର ସୁଠାମ ସୁଗୋଲ ll
ଛେନା,ନଡ଼ିଆ ଗୁଡ଼େ ମୋ ଭରା ଅନ୍ତପୁର l
ସୁଆଦ ନିଆରା ତା'ର ବୋଲି ଥାଅ ପୁର ll
ଦାରୁଦେବତାଙ୍କ ଭୋଗଥାଳେ ଥାଏ ଭରା l
ମଣ୍ଡା, ଆରିସାର ସାଥେ ଲଡ଼ୁ ଓ କାକରା ll
ଧବଳେଶ୍ୱରଙ୍କ ପାଶେ ଭୋଗ ମଣ୍ଡା ଗଜ l
କାର୍ତ୍ତୀକ ଏକାଦଶୀରେ ଭକତ ସମାଜ ll
ଦ୍ୱାପରରେ ଖାଇ ଭୀମ ଦୁଃଶାସନ ମଣ୍ଡା l
ହୋଇଥିଲେ ଗୁଣ୍ଡା ବଡ଼ ଭୁଶୁଣ୍ଡା ଭୁଶୁଣ୍ଡା ll
ମହାଭାରତରେ କଥା ରାକ୍ଷସ ଟେ ଥିଲା l
ମଣ୍ଡାଖାଇ ଭୀମ ତାକୁ ଗଡ଼ାଇ ମାରିଲା ll
ଦଶହରା ମଣ୍ଡା କଥା ଶୁଣି ଥିବେ ଭାଇ l
ଶ୍ରୀରାମ ପୂଜିଲେ ଜଗଦମ୍ବା ଦୟାମୟୀ ll
ଦଇତ ବଧିଲେ ଲଙ୍କେ ଯାଇ ଗଣ୍ଡା ଗଣ୍ଡା l
ସମୁଦ୍ର ଲଂଘିଲେ ହନୁ ଖାଇ ପୁଞ୍ଜେ ମଣ୍ଡା ll
ତିଆରି ମୋହର ଅଟେ ସରଳ ଅତୀବ l
ଚାଉଳ ଚୁନାରେ ଯନ୍ତା ପ୍ରସ୍ତୁତ କରିବ ll
ଛେନା,ଗୁଡ଼,ନଡ଼ିଆକୁ ପାଗ ନେବ କରି l
ଅଥାରେ ସିଦ୍ଧକରିବ ପେଟ ମଧ୍ୟେ ଭରି ll
ଦୁଇ ତିନି ଦିନ ଯତ୍ନେ ରହେ ମୁହିଁ ତାଜା l
ପୁରୁଣାହେଲେ ମିଳଇ ତହୁଁବେଶି ମଜ୍ଜା ll
ମଣ୍ଡା ବିନେ ଉତ୍କଳୀର ଓଷା ହୁଏ ନାହିଁ l
ରଜ ପରବରେ ମୋତେ ଭୁଲିବନି ଭାଇ ll
