ରବିବାର ଛାଡଖାଇ
ରବିବାର ଛାଡଖାଇ
ନିରାମିଷାଶୀ ଯେତେ, ଆଜିର ଦିନରେ,
ଚାହିଁଛନ୍ତି ବଲବଲ,
ଆଇଁଷିଆଙ୍କର ପକେଟ ଟା ଯାହା,
ହୁଏ ଖାଲି ଖଲଖଲ ।
ମାଛ ଓ ମାଉଁସ ଆଣିଛନ୍ତି ସିଏ,
ଘରଣୀ ବରାଦ କଲେ,
କି ଭୋଳା ଲୋକଟା କହିଥିଲି ପରା,
ଚିଙ୍ଗୁଡି ଆଣିବ କିଲେ !
ମାଛ କି ମାଉଁସ ଖାଇବେନି ଭାଇ,
ବାଗ୍ ଦା ରେ ତାଙ୍କ ପ୍ରୀତି,
ସରିଯିବ ଯାଆ ଆଣିବ ବଜାରୁ,
କରିଣ ଝଅଟ ଗତି।
ପତ୍ନୀ ଆଦେଶ କୁ ଅମାନ୍ୟ ନ କରି,
ଧାଇଁଲେ ନିଲଠା ପତି,
ଆଇଁଷ ବ୍ୟାଗ, ବାଇକେ ଗୁଡ଼ାଇ,
ଚିଙ୍ଗୁଡି ରେ ରଖି ମତ୍ତି।
କି' ଅଘଟଣ ଘଟିଗଲା ସତେ,
ହଜାରରେ ଥିଲା କିଲେ,
ଡିମାଣ୍ଡ କୁ ଦେଖି ବାର ଶ' ଡାକୁଛି,
ମାଡ଼ି ବସିଛନ୍ତି ପଲେ।
ଆଗ ଓ ପଛକୁ ବିଚାର ନ କରି
କେଜି ଏ ଧଇଲେ ବାବୁ,
ତର ତର ହୋଇ ଧାଇଁଲେ ଘରକୁ,
ଶଳା ଟା କିଛି ନ ଭାବୁ ।
ପାଣିରେ ଭାଜିବି, ମାଛ କୁ କି କହ,
ତେଲ ଆଣିବାକୁ ଯାଅ,
ଡେରି ତ ହେଲାଣି, ସଅଳ ଆସିବ
ଦୁଆରୁ ବ୍ୟାଗ ଦିଅ।
ଧନ୍ୟ ରେ ମଣିଷ, ଆଇଁଷ ପାଇଁକି,
କରଇ କିପରି ନାଟ,
କାର୍ତ୍ତିକ ମାସ ଟା, ନ ଥାଆନ୍ତା ଯଦି,
କାହୁଁ ଛାଡଖାଇ ଭେଟ।
ରବିବାରେ ଛାଡଖାଇ ପର୍ବ ପାଇଁ,
ବଜାରେ ପଡୁଛି ହୁରି,
କୁକୁଡ଼ା ଛାଗଳ ମୀନ ମାନେ ବସି,
ଆଖିରୁ ଢ଼ାଳନ୍ତି ବାରି।
