ନିଅ ମୋତେ ବାହୁଡେଇ
ନିଅ ମୋତେ ବାହୁଡେଇ
ଜନମ ବେଦୀରୁ କରମ ଭୂଇଁକୁ
ଫେରି ଆସୁଛନ୍ତି କାଳିଆ ରଜା
ଧର୍ମ ରଥେ ଭାଇଭଉଣୀକୁ ଧରି
ଫରଫର ଉଡେ ପ୍ରେମର ଧ୍ଵଜା ।
ଜଗନ୍ନାଥ ସତ କହିବ ମାତର
ତୁମ ବାପାଙ୍କର ନାମଟି କିସ ?
ମୋ ବାପର ନାମ ଶ୍ରୀ ନୀଳାଦ୍ରିନାଥ
ରଥେ ବସିକରି କାହିଁକି ହସ ?
ଅଣବାବୁଆହୋ କାଳିଆ ଠାକୁର
ମୁଁ ପରା ହଉଛି ତୁମରି ପୁଅ ।
ତୁମେ ତାତ ମାତ ଭ୍ରାତ ଏ ଜଗତ
ଭକତ ମନରେ ଭକ୍ତିର ସୁଅ।
ଶ୍ରୀପୁରୁଷୋତ୍ତମ ହିଁ ଷୋଡ଼ଶ କଳା
କଳାଏ ନେଇଛି ନନ୍ଦର ବଳା
ସେ ଗୋଟିକ କଳାକୁ ଗୁଣି ଷୋହଳେ
ଗୋପାଙ୍ଗନା ସଙ୍ଗେ କରଇ ଲୀଳା।
ବଡ଼ଦାଣ୍ଡେ ସିନା ମହାମାରୀ ଭୟେ
ଭକତଙ୍କ ମେଳା ବସିଲା ନାହିଁ
ତୁମେ ବସିଥିଲ ଭକତ ହୃଦୟେ
ଭକତବତ୍ସଳ ଶ୍ରୀଭାବଗ୍ର।ହୀ।
ତୁମ କରୁଣାରୁ ଭକତ ଦେଖିଲା
ଆଭାସୀ ରଥରେ ଜଗାବଳିଆ
ନେତ୍ରରୁ ନିଗାଡି ଆନନ୍ଦର ବାରି
ଅନ୍ତରୁ ଧୋଇଲା ସବୁ ମଇଳା।
ସହର୍ଷ ବଦନେ ଭାଷନ୍ତି ଅଗ୍ରଜ
ବିସ୍ତାରିତ କରି ନିଜ ଅଧର।
ଜଗା ଯୋଗୁଁ ସିନା ରଥୋପରେ ମୁହିଁ
ହଳଲଙ୍ଗଳଟି ମୋର ଆଧାର।
ସୁନlମୁହିଁ ଭଗ୍ନୀ ସେ ହଳଦୀଗୋରୀ
ଆନନ୍ଦେ ବସିଛି ରଥ ଉପରି
କି ଭାଗ୍ୟ ମୋହର କରିଥିଲି ପୂଣ୍ୟ
କାଳିଆବଳିଆ ଭାଇ ମୋହରି।
ସିଂହ ଦୁଆରକୁ ନନ୍ଦିଘୋଷ ଗଡେ
ଘର୍ଘର ନାଦରେ ଆଗକୁ ମାଡି
ଘୋଷ ଯାତରାର ଅନ୍ତିମ ପରବ
ଶ୍ରୀମନ୍ଦିରେ ହୁରି ଗଲାଣି ପଡ଼ି।
ବାହୁଡ଼ା ଦିଅଁ ଆଜ ଦଶମୀ ତିଥେ
ବାହୁଡ଼ିଛ ମୋର ଜୀବନ ପଥେ।
ଆତ୍ମନଇବେଦ୍ୟ ବାଢେ ଶ୍ରୀ ପୟରେ
ସମର୍ପଣ ଭାବ ରଖି ଅନ୍ତରେ।
କରମ ମୋହର ଧରମ ମୋହର
ଶରୀର ରଥରେ ଆତ୍ମା ଅମର
ବାହୁଡ଼ାରେ ନିଅ ମୋତେ ବାହୁଡ଼େଇ
ପାରି କରିଦିଅ ଏ ପାରାବାର ।
