STORYMIRROR

Dr Simant Kumar Nanda

Others

3  

Dr Simant Kumar Nanda

Others

ହରି ହର

ହରି ହର

1 min
208


ପଚାରିଲେ ଦିନେ ଶ୍ରୀହରିଙ୍କୁ ଯାଇ,

ଭୋଳାନାଥ ମହେଶ୍ୱର,

କେମିତି କଟୁଛି ଦିବସ ତୁମ୍ଭର,

ଅଛ କି' ହେ, ଆନନ୍ଦର।


ବଡ଼ ଦୁଃଖେ କାଟେ ଦିବସ ଯାମିନୀ,

ନ ପାରେ ନାମ କୁ ଭଜି,

ପାରିବ କି, ଯଦି ବତେଇ ଦିଅ ହେ,

ଉପାୟ ଟିକିଏ ହେଜି।


ପ୍ରଥମ ଭର୍ଯ୍ୟା ମୋ ତ୍ରିଶକ୍ତି ଧାରିଣୀ,

ନିମ୍ନଗା ଦ୍ଵିତୀୟା ନାରୀ,

ନାହିଁ ମୋ ଆକଟେ ସଂସାର ମୋହର,

ସତ କହେ ଗିରିଧାରୀ।


ରୁକ୍ଷ ନନ୍ଦୀ ଭୃଙ୍ଗୀ ସେବକ ମୋହର,

ବୃଷଭ ବୃଦ୍ଧ ବାହନ,

କନିଷ୍ଠ ପୁତ୍ରଟି, ଗଜବଦନ କୁ,

ଜ୍ୟେଷ୍ଠପୁତ୍ର ଷଡାନନ।


ମୋ ଘରକରଣା କିସ କହିବି ହେ,

ନିଜେ ମୁଁ ପାଉଛି ଦଣ୍ଡ।

ଘେନିଯାଅ ମୋତେ ବଇକୁଣ୍ଠପୁର,

ହେବିନାହିଁ ଲଣ୍ଡଭଣ୍ଡ।


ସଙ୍କଟ ମୋହର ଶୁଣ ମହାଦେବ,

କେଡେ କଷ୍ଟେ ଅଛି ଜାଣି,

ଲୋତକ ଝରିବ ଆଖିରୁ ତୁମର

ମୋର କଥା ବାରେ ଶୁଣି।


ଏକ ପତ୍ନୀ ମୋର ପ୍ରକୃତି ମୁଖରା,

ଆରକ ଅଟେ ଚଞ୍ଚଳା,

ଦିନେ ପାଏ ଅବା ଦିନେ ମୁଁ ନ ପାଏ,

ଅନ୍ନ ବ୍ୟଞ୍ଜନ ଦି ବେଳା।


ଶୟନ କରୁଛି ଜଳଧି ମଧ୍ୟରେ,

ବାହନ ମୋ ସର୍ପାହାରୀ,

ନିଜ ଘରେ ପରା ରହିଛି ଯେପରି,

ଦାରୁଭୂତ ଶ୍ରୀମୁରାରୀ।


ପିତାମହ ବ୍ରହ୍ମା ସୃଷ୍ଟି କରିଛନ୍ତି,

କାହାକୁ ବା ଦେବା ଦୋଷ,

ଏହିପରି ଏଇ ଯୁଗ ତ ଚଳିବ,

ହେଉ ଯେବେ ହେବ ଶେଷ ।


ସୃଷ୍ଟିକାର୍ଯ୍ୟ ବ୍ରହ୍ମା ସାରିଛନ୍ତି କରି,

ପାଳନ କରୁଛି ସାର,

ନିଜ କାମ ନିଜେ କର ହେ ପିନାକୀ,

ମତେ ଆଉ ନ ପଚାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍