ପଶୁ ପକ୍ଷୀ ଆମର ମିତ
ପଶୁ ପକ୍ଷୀ ଆମର ମିତ
ଈଶ୍ୱର ଙ୍କ ସୃଷ୍ଟି ଅଟଇ ବିଚିତ୍ର
ତାହାଙ୍କର ସୃଷ୍ଟି ଏ ଜୀବ ଜଗତ |
କ୍ଷୁଦ୍ର କୀଟ ଠାରୁ ବଡ଼ ବଡ଼ ଜୀବ
ଜଗତ ହିତରେ ଏ ସୃଷ୍ଟି ସମ୍ଭବ |
କିଏ ରହେ ଜଳେ କିଏ ଅବା ସ୍ଥଳେ
କେତେକଙ୍କ ବାସ ସ୍ଥଳେ ପୁଣି ଜଳେ|
ମନୁଷ୍ୟ ଅଟଇ ସର୍ବ ଶ୍ରେଷ୍ଠ ପ୍ରାଣୀ
ବୁଦ୍ଧି ଓ ବିବେକ ଥାଏ ତାଙ୍କ ପୁଣି |
ଯେତେ ପଶୁ ପକ୍ଷୀ ଅଛନ୍ତି ସୃଷ୍ଟିରେ
ସମସ୍ତଙ୍କ ଦାନ ମାନବ ସେବାରେ |
ନିଜ ସାଧ୍ୟ ମତେ କରି ଥାନ୍ତି କାର୍ଯ୍ୟ
ପ୍ରତ୍ୟକ୍ଷ ରେ ଅବା ପରୋକ୍ଷ ସାହାଯ୍ୟ|
କେତେ ପଶୁ ପକ୍ଷୀ ପାଳନ୍ତି ଗୃହରେ
ତାଙ୍କରି ଜନମ ମାନବ ସେବାରେ |
ଆଉ କିଛି ଜୀବ ବଣରେ ରହନ୍ତି
ବନ୍ୟ ପ୍ରାଣୀ ବୋଲି ତାଙ୍କୁ କହିଥାନ୍ତି |
ସ୍ୱାନ ଘର ଜଗେ ଗାଇ ଦିଏ କ୍ଷୀର
ବଳଦ ରେ ହଳ ପୁଣି ବୁହେ ଭାର |
ଅଶ୍ୱ, ଗଧ, ଓଟ ଭାର ବାହି ପ୍ରାଣୀ
ମାର୍ଜାର ରଖିଲେ ମୂଷା ଯାଏ ପୁଣି |
ନକୁଳ କୁ ଦେଖି ସର୍ପ ରହେ ନାହିଁ
କୁକୁଡ଼ାର ଅଣ୍ଡା ଖାଦ୍ୟ ହୋଇଥାଇ |
ବନ୍ୟ ପ୍ରାଣୀ ମାନେ ଜଙ୍ଗଲ ରେ ବାସ
ସୁନ୍
ଦର କରନ୍ତି ଆମ ପରିବେଶ |
ଛୋଟ ଜୀବ ଅବା ବଡ଼ ଜୀବ ହେଉ
ସବୁ ପ୍ରାଣୀ ପ୍ରତି ଦୟା ଭାବ ରହୁ |
ଜୀବନ ରହିଛି ସମସ୍ତ ଙ୍କ ଠାରେ
ଆଘାତ ପାଇଲେ ପ୍ରତିକ୍ରିୟା କରେ |
ବ୍ୟାଭ୍ର, ସିଂହ, ହାତୀ ହିଂସ୍ର ପ୍ରାଣୀ ବୋଲି
ଜାଣନ୍ତି ସମସ୍ତେ ଏହା ସତ୍ୟ ବୋଲି |
ସ୍ନେହ ଆଦର ରେ ହୁଅନ୍ତି ବଶ
ଅନିଷ୍ଟ କରିଲେ କରେ ସର୍ବନାଶ |
ମନୁଷ୍ୟଙ୍କ ମନେ କପଟତା ଥାଏ
ମାତ୍ର ପ୍ରାଣୀ ଠାରେ ସେପରି ନ ଥାଏ |
ଅତ୍ୟନ୍ତ ବିଶ୍ୱାସୀ ପଶୁ ପକ୍ଷୀ ଗଣ
ମନୁଷ୍ୟଙ୍କ ଠାରୁ ଅଟନ୍ତି ଦ୍ଵିଗୁଣ |
କେଡେ ବଡ଼ ଜୀବ ଅଟେ ଦ୍ଵିଜ ରାଜ
ତା ପିଠିରେ ବସି କରୁଛନ୍ତି ରାଜ |
ସୃଷ୍ଟି ରକ୍ଷା ପାଇଁ ତାଙ୍କର ଉତ୍ପତ୍ତି
ମନେ ଦୟା ଭାବ ରଖ ତାଙ୍କ ପ୍ରତି |
ନିରୀହ ପ୍ରାଣୀଙ୍କୁ କରନା ସଂହାର
କ୍ଷତି କରେ ନାହିଁ ନିର୍ଦୋଷେ କାହାର |
ଆମ ପଶୁ ପକ୍ଷୀ ବଡ଼ ଉପକାରୀ
କରନା ଅନିଷ୍ଟ କେବେ ହେଁ କାହାରି |
ପଶୁ ପକ୍ଷୀ ମିତ ଆମ୍ଭ ମାନଙ୍କର
କରିବା ସୁରକ୍ଷା ପ୍ରାଣୀ ଜଗତର |