ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
କ୍ଲାନ୍ତ ଗୋଧୂଳିର ନୀରବ ବେଳାରେ
ଖୋଜେ ମୁଁ ଅଭୁଲା ସ୍ମୃତି
କିଛି ଦିଏ ହସ କିଛିବି ବେଦନା
ଗଲେ ବି ସେଦିନ ବିତି |
ଜୀବନରେ ଯେବେ ପହିଲି ବସନ୍ତ
ଯାଇଥିଲା ମୋତେ ଛୁଇଁ
ଉଦ୍ଧତ ତାରୁଣ୍ୟ ଢଳି ଯାଇଥିଲା
ପ୍ରୀତିର ପରଶ ପାଇଁ |
ଏବେବି ସେ ସ୍ମୃତି ଜଳୁଛି ପରାଣେ
ଝରୁଛି ତତଲା ଲୁହ
ପ୍ରଥମ ପ୍ରେମର ପ୍ରଥମ ରୋମାଞ୍ଚ
ଏବେ ତ ହୋଇଛି କୋହ |
ଆମ ଗାଆଁ ଝିଅ ଅନ୍ୟ ସାହିର ସେ
ପ୍ରଗଳଭା ଗୌର ତନ୍ଵୀ
ମନେ ଭରିଥିଲା ପ୍ରୀତିର ସପନ
ଗୋପନେ ମୂରୁଜ ବୁଣି |
ନିତି ଦେଖା ଚାହାଁ ପୋଖରୀ କୂଳରେ
କେବେ ହୁଏ ନାହିଁ ତ୍ରୁଟି
ଲାଜୁଆ ଲାଜୁଆ ସ୍ମିତ ହସେ ଥାଏ
ଉଭୟଙ୍କ ସହମତି |
ଧିରେ ଧିରେ ପ
୍ରୀତି ଗଭୀରୁ ଗଭୀର
ହେଲା ଜାଣିପାରିଲିନି
ସେନେହ ମମତା ପ୍ରୀତିର ପୁଲକେ
ହସୁଥିଲା ଫୁଲ ରାଣୀ |
ପାଠ ପଢିବାକୁ ଦୂରେ ଚାଲିଗଲି
ଆଉ ହେଲା ନାହିଁ ଦେଖା
ନଥିଲା ସେଦିନ ଦୂରଭାଷ ଯନ୍ତ୍ର
ହେବାକୁ ତା ସାଥେ କଥା |
ବହୁଦିନ ପରେ ଫେରିଲି ଯେବେ ମୁଁ
ପାଇଲି ଭିନ୍ନ ରୂପରେ
କାହାର ସିନ୍ଦୂର ପିନ୍ଧି ସାରିଥିଲା
ଗଭୀରେ ନିଜ ସିନ୍ଥିରେ |
ଦେଖାହେଲା ସତ କହିଲାନି କିଛି
କାନ୍ଦିଥିଲା ନୀରବରେ
ବୁଝିପାରିଥିଲି ତା ମନ ବେଦନା
ପୋଛିଦେଲି ଅଶ୍ରୁ ଧିରେ |
ଭାଙ୍ଗିଯାଇଥିଲା ସେଦିନ ମୋ ମନ
ଆଜି ବି ପାରିନି ଭୁଲି
ଭଲରେ ଥାଉ ସେ ଯେଉଁଠି ବି ରହୁ
ବିଭୂ ପାଶେ କରେ ଅଳି |