ପ୍ରିୟାର ପରସ
ପ୍ରିୟାର ପରସ
ମନ ଖାଲି ଖୋଜୁଅଛି ପ୍ରିୟାର ପରସ
ତାର ସେଇ ମିଠା କଥା ଲାଜ ମିଶା ହସ ।
ଚାଲିଆସ ପ୍ରିୟା ମୋର ଥରେ ବାସ୍ତବରେ
ଭରିଦିଅ ହସ ଟିକେ ମୋର ଏଇ ଓଠରେ ।
ବାସ୍ତବରେ ନହେଲେ ପ୍ରିୟା ସପନରେ ଆସ
ସପନରେ ଆସି ତୁମେ ମୋ ପାଖରେ ବସ ।
ଦେଖିଲି ମୁଁ ତୁମକୁ ପ୍ରିୟା କାଲି ସପନରେ
କହିଗଲ କେତେ କଥା ମୋହରି କାନରେ ।
ବୁଝିତ ପାରିଲି ନାହିଁ ମୁଁ ଯେ ସେ ଅଜଣା ଭାଷା
ମନେ ମୋର ଉଙ୍କିମାରେ ଆଉ ଏକ ଆଶା ।
ଆଜି ନହେଲେ କାଲି ଦେଖିବି ସପନ
ସପନରେ ମାଗିନେବି ମୋ ପ୍ରିୟା ମନ ।
ଏଇ ଆଖି ଦେଖୁଅଛି କେତେଯେ ସୁନ୍ଦରୀ
ହେଲେ କେହି ହେବେ ନାହିଁ ମୋ ମନମୟୂରୀ ।
ଫୁଲ ଖୋଜେ ଭଅଁରକୁ କଇଁ ଖୋଜେ ଜହ୍ନ
ମନ ମୋର ଖୋଜେ ପ୍ରିୟା ଆଉ ତା'ର ସ୍ବପ୍ନ ।
ମନ କହେ ପବନକୁ ଶୁଣିଯା'ରେ ବନ୍ଧୁ
ଥରୁଟିଏ ଆଣିଦେ ମୋ ପ୍ରିୟା ସେ ତ ମୋର ସିନ୍ଧୁ।
ସେଇ ସିନ୍ଧୁ ଜଳେ ମୁଁ ଯେ ହଜିବାକୁ ଚାହେଁ
ହଜିଯାଇ ପ୍ରିୟା ସ୍ପର୍ଶ ପାଇବାକୁ ଚାହେଁ ।
ଫଗୁଣରେ ନାହିଁ ରଙ୍ଗ ତା' ସ୍ପର୍ଶ ବିନା
ତା' ବିନା ଶ୍ରାବଣ ମତେ ଦିଏ ତ ଯାତନା ।
ମନଫୁଲ ଶୁଖିଯାଏ ନପାଇ ପ୍ରିୟା ପରସ
ସେ ପରସ ଆଣିଦେବ ମୋ ମନରେ ଉଲ୍ଲାସ ।
ହସୁଅଛି ଏକା ଏକା ତୁମ କଥା ଭାବି
ମୋର ହସ ଦେଖି ହସେ ପ୍ରଭାତର ରବି ।
ପଚାରିଲି ମୁଁ ଯେ ତାକୁ ହସୁଅଛୁ କାହିଁ
ସେ ଲୁଚାଇ କହେ ମତେ ନା ନା କିଛି ନାହିଁ ।
ଗୋଟି ଗୋଟି କଥା ମୋର ପଡୁଅଛି ମନେ
କେତେ ଖେଳ ଖେଳୁଥିଲେ ସେଇ ପିଲାଦିନ ।
ଆମ୍ବ ଗଛ ମୂଳେ ବସି କଟୁଥିଲା ଦିନ
ଫେରି ପାଉନାହିଁ ଜମା ମୋର ପିଲା ଦିନ ।
ବଗିଚାରେ ବୁଲୁଥିଲେ ଖାଉଥିଲେ କେତେ ଜାମୁକୋଳି
ମାଗିଥିଲ ଜହ୍ନ ମତେ ନପାରିଲି ତୋଳି ।
କଟୁଥିଲା ରାତି ଆମ କେତେ କୌତୁହରେ
ଗଣୁଥିଲେ ତାରା ଆମେ ଜହ୍ନ ଆଲୁଅରେ ।
ମନ ଖାଲି ଝୁରି ମରେ ସେଇ ପିଲା ଦିନ
ଥରୁଟିଏ ଆଣିଦିଅ ହେ ଭଗବାନ ।
ଲେଖୁଥିଲି ଗପ ମୁଁ ଯେ ନଥିଲି ତ କବି
କଲମତ ଚାଲୁଅଛି ତୁମ କଥା ଭାବି ।
ତୁମ ପ୍ରେମ ଶିଖାଇଲା ଲେଖିବା କବିତା
ସେଇ କବିତାରେ ଥାଅ ତୁମେ ତ ନାୟିକା ।
ମୁଁ ଯେ ଅଟେ କବି ତୁମ ତୁମେ ମୋ କବିତା
କେମିତି ଛାଡିବ କବି ନିଜର କବିତା ।
କବିତା ତ ଛାଡେନାହିଁ ନିଜର କବିକୁ
ଆଣିଦିଏ ଶାନ୍ତି ସେତ କବିର ପ୍ରାଣକୁ ।
ସେଇ କବିତାରେ କବି ସତେ ହଜିଯାଏ
ସବୁ ସ୍ଥାନେ କବିତା ତ ତାକୁ ଦେଖାଯାଏ ।
ବଞ୍ଚୁଅଛି କବି ସତେ କବିତା ସକାଶେ
ଯିବାପାଇଁ ଚାହେଁ ସେତ ତା' ପ୍ରିୟାର ପାଶେ ।
ଜହ୍ନରେ ତ କବିତାର ମୁହଁ ଦେଖାଯାଏ
କିନ୍ତୁ କବି ତାରା ମେଳେ ତାକୁ ଖୋଜୁଥାଏ ।
ତାରାମେଳେ ଜହ୍ନ ହସେ ନୀଳ ଆକାଶରେ
କିନ୍ତୁ କବି ହସୁଥାଏ ମନରେ ମନରେ ।
ଲୋକେ ଦେଖି କହନ୍ତି ତ ହେଲା କି ପାଗଳ
ସବୁବେଳେ ହସୁଅଛି ଥିଲା ଭରି ଭଲ ।
ଆଜି ମୁଁ ତ ପାଗଳ ପ୍ରିୟା ତୁମ ପ୍ରେମ ପାଇଁ
ହୋଇଯିବି ଭଲ ସତେ ତୁମ ସ୍ପର୍ଶ ପାଇ ।
ଲୋକେ କହନ୍ତି ମତେ ପାଗଳ ଦୁଃଖ କରୁନାହିଁ
ବଞ୍ଚିଅଛି ବଞ୍ଚିଥିବି ତୁମ ସ୍ପର୍ଶ ପାଇ ।

