ପ୍ରିୟା
ପ୍ରିୟା
ଇନ୍ଦ୍ରଧନୁର ସାତଟି ରଂଗକୁ
ସପ୍ତସତୀ ଗଲେ ନେଇ ,
ଦୁଧ ଅଳତାକୁ
ଫେଣ୍ଟା ଫେଣ୍ଟି କରି
ଅଷ୍ଟମ ରଂଗରେ
ଗଢ଼ିଲେ ତୁମକୁ ବିହି ।
କୋଇଲି ପୋଇଲି
ସ୍ତ୍ରୀ ହେଇ ଯେବେ
ନେଇ ଗଲା କଣ୍ଠ ସ୍ବର ,
ବଂଶୀ ଥିଲା ପାଶେ
ଦେଲେ ଗୋ ତୁମକୁ
କଥା ତୁମ ସୁମଧୁର ।
ମୀନ ଅବତାର
ଥିଲା ବୋଲି ତାଙ୍କ
କରିଲେ ମୀନ ନୟନା ,
ମୋନାଲିସା କାଳେ
ତୁମଠୁ ଚୋରେଇ
ହସେ ହେଇ ଆନମନା ।
ହଂସବାହିନୀ
ହଂସ ନେଇ ଗଲେ
ଗଜଲକ୍ଷ୍ମୀ ନେଲେ ଗଜକୁ ,
ଚାଲିକୁ କରିଲେ
ଅଳସୀ ଅଳସୀ
କଟି ଦେଇ ଦେଲେ ସିଂହକୁ ।
ଅଳକାପୁରୀକୁ
ଅଳି କରି ଯେବେ
ମାଗି ନେଲେ ସ୍ବର୍ଗ ରୂପସୀ ,
ମର୍ତ୍ତ୍ୟକୁ ପଠେଇ
କରିଲେ ତୁମକୁ
ଚିର ଯଉବନା ଷୋଡ଼ଶୀ ।
ତୁମେ ନନ୍ଦନବନର
ଚନ୍ଦନ କୁସୁମ
ଚନ୍ଦନେ ଚର୍ଚ୍ଚିତ କାନ୍ତି ,
କୁହ,ତୁମକୁ ପାଇବି ମୁଁ କେମିତି ?
ପ୍ରିୟା ।

