ପ୍ରେମର ମହକ
ପ୍ରେମର ମହକ
ପ୍ରଥମ ପ୍ରେମର ମଧୁର ପୁଲକ
ଆଜି ବି ସାଇତା ହୃଦ ଭିତରେ
ପାଗଳୀ ଝିଅ ମୁଁ ପ୍ରେମର ମହକ
ଆଘ୍ରାଣ କରିଲି ବନ୍ଧୁ ପଣରେ ।
ଗୋଟିଏ ଶ୍ରେଣୀରେ କିଛି ଦୂରତାରେ
ଥିଲା ଦୁହିଁଙ୍କର ବସିବା ସ୍ଥାନ
ତାକୁ ନ ଦେଖିଲେ ଦିନଟେ କାହିଁକି
ଦୁଃଖୀ ହେଉଥିଲା ମୋହରି ମନ ।
ଖାତା ବହି ସାଥେ କଲମଟି କେବେ
ଦିଆ ନିଆ ଭାବ ଥିଲା ନିଆରା
ସତେ କି ଯେମିତି ତା' ବିନା ଶ୍ରେଣୀରେ
ପାଠପଢ଼ା ମୋର ଥିଲା ଅଧୁରା ।
ଗୁରୁଜୀଙ୍କ ଗାଳି ଶୁଣିଲେ ପଦିଏ
ଆସି ଯାଉଥିଲା ଆଖିରେ ଲୁହ
ପାଖକୁ ସେ ଆସି ଦୁଇ ହାତ ଧରି
କହୁଥିଲା ଟିକେ ଖୁସି ତ ହୁଅ ।
ସାଙ୍ଗସାଥୀମାନେ ଭାରି ବଦମାସ୍
ଟୁପୁରୁ ଟାପୁରୁ ଭାରି ଈର୍ଷାରେ
ଯୋଡି ଦେଉଥିଲେ ଦୁହିଁଙ୍କର ନାମ
ଖୁସି ହେଉଥିଲି ମନ ଭିତରେ ।
ପୂଜା ଉତ୍ସବର ଶୁଭ ମୁହୂର୍ତ୍ତରେ
ଚକୋଲେଟ ଦେଉଥିଲା ଖୁସିରେ
କାହାକୁ ନ ଦେଇ ଖାଇଦେ ଲୁଚେଇ
କହୁଥିଲା ମୋତେ ସେ ଧୀରେ ଧୀରେ ।
ପରୀକ୍ଷା ସମୟ ଶେଷ ଦିବସରେ
ବୁଝିପାରିଥିଲି ତା'ର ପ୍ରେମକୁ
ହୃଦୟେ ସାଇତା ମିଠା ଅନୁଭବ
ଅକୁହା ଆବେଗ ପ୍ରୀତି ଭାଷାକୁ ।
ଆଖିକୋଣେ ଭରା ପ୍ରଥମ ପ୍ରେମର
କଥାଲେଖିଦେଇ ନିଜ ହାତରେ
ଭଲ ପାଏ ବୋଲି କହିଥିଲା ଯେବେ
ନାଚିଥିଲି କ୍ଷଣେ ମୁଁ ନୀରବରେ ।
ଅମଳିନ ସେଇ ପ୍ରୀତିର ଫୁଆର
ଘରଟିଏ ତୋଳି ଛାତି ଭିତରେ
ମଧୁର ସୁବାସ ଭରିଦେଇଅଛି
ଆଜିଯାଏଁ ମୋର ଚାରିପାଖରେ ।

