ପଞ୍ଚୁକରେ ପାଞ୍ଚ ମନ ପଚିଶ ପ୍ରକୃତି
ପଞ୍ଚୁକରେ ପାଞ୍ଚ ମନ ପଚିଶ ପ୍ରକୃତି
ପଞ୍ଚୁକରେ ପାଞ୍ଚ ବେଶ ହୃଷିକେଶ
ଦର୍ଶନ କରେ ନୟନ
ପଚିଶ ପ୍ରକୃତି ପାଞ୍ଚ ମନ ଏଠି
ସମର୍ପି ଦିଅ ସୁଜନ ।।
ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣ
ସୁମନ ଲଗାଅ ପାଦେ
ଛନ୍ଦ, ମନ୍ଦ,ଦମ୍ଭ କୁଟ, କାମ, କ୍ରୋଧ
ବଳି ଦିଅ ଅପ୍ରମାଦେ ।।
ଦ୍ୱାଦଶୀ ଦିବସେ ବାଙ୍କଚୂଡ଼ ବେଶେ
କୁମନକୁ ଦିଅ ବଳି
ଈର୍ଷା,ହିଂସା,ତମ ଅବିଶ୍ୱାସ, ମ୍ଲାନ
ପ୍ରକୃତିକୁ ଯାଅ ଭୁଲି ।।
ତ୍ରୟୋଦଶୀ ଦିନ ବେଶ ତ୍ରିବିକ୍ରମ
ବିମନକୁ ଜଳାଞ୍ଜଳି
ମାସାନ୍ଦ,କନ୍ଦଳ ଅଖଲ, ଚଣ୍ଡାଳ
ପ୍ରକୃତିରେ ବାନ୍ଧ ଡୋରି ।।
ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀ ନରସିଂହ
ଅମନ ଭେଟି ଲଗାଇ
ଗର୍ବ,ଅହଙ୍କାର ଚୋରି,ଦୁରାଚାର
ତର୍କକୁ ଦିଅ ଜଳାଇ ।।
ପୂର୍ଣ୍ଣମୀ ତିଥିରେ ରାଜା ରାଜେଶ୍ୱରେ
ଦର୍ଶନେ ଅର୍ପିବ ମନ
ଆଳସ୍ୟ, କୃପଣ ଧୃଷ୍ଟତା, ମଦନ
ବିରୋଧ ତ୍ୟାଗ ସୁଜନ ।।
ପଞ୍ଚୁକେ ପଚିଶ ପ୍ରକୃତିର ନାଶ
ପାଞ୍ଚ ମନର ବିନାଶ
କାଳିଆ ଚରଣେ କାଳିଆ ଶରଣେ
ଲଭିବ ଯେ ସ୍ବର୍ଗ ବାସ ।।