ପଞ୍ଚୁକ
ପଞ୍ଚୁକ
କାର୍ତ୍ତିକ ମାସରେ ପଞ୍ଚୁକ ପାଳ ଯେ
ସକାଳୁ ତୁମେ ଗାଧୋଇ
ମନ୍ଦିରେ ଯାଇକି ହାଜିରା ପକାଅ
ପୂଣ୍ୟ ଅରଜିବା ପାଇଁ ।
ଠେଲା ପେଲା ହେଇ ଦଳା ଚକଟାରେ
କରିବ ଆଗ ଦର୍ଶନ
ଡେରି ହେଲେ ପୂଣ୍ୟ ଭାଗ କମିଯିବ
ଊଣା ହେଇଯିବ ମନ ।
ବାକି ଦିନେ ସିନା ଆଠଟା ନହେଲେ
ଭାଙ୍ଗେନି ଜମାରୁ ନିଦ
ଯିଏ ଉଠେଇବ ଦି ପଦ ଶୁଣିବ
ଖଟାଙ୍ଗ ପୁରାଣ ବେଦ ।
କାର୍ତ୍ତୀକ ମାସରେ ଶୁଦ୍ଧ ଶାକାହାରୀ
ମନ୍ଦିରରେ କର ଭିଡ
ଅନ୍ୟ ମାସରେ ତ ପାଟି ସୁଆଦିଆ
ଚୋବାଅ କୁକୁଡା ଗୋଡ ।
ଶରୀର ଟା ତୁମ ମାସେ ଶୁଦ୍ଧ ହେଲେ
ବାକି ମାସରେ ଅଶୁଦ୍ଧ
ମାଛ ମାଂସ ଆଉ ଶୁକୁଆ ଖାଇ କି
ଶରୀରୁ ଛାଡେନି ଗନ୍ଧ !
ଧନ୍ୟ ଆମ ଏଇ ଧାର୍ମିକ ଭାବନା
ଧନ୍ୟ ଏ ଆଇଁଷ ପ୍ରୀତି
ପ୍ରକୃତ ଧର୍ମକୁ ଅରଜିବା ପାଇଁ
କାହାର ବଳେନି ମତି ।
ଦେଖାଣିଆ ଧର୍ମ କମେଇବା ପାଇଁ
କରୁଚ କିଆଁ ପ୍ରୟାସ
ସତ୍ୟ ପଥ ହୁଡି ଅବାଟେ ଧାଉଁଚ
ପିଇବାକୁ ଖାଲି ବିଷ ।
