ଫଗୁଦଶମୀ
ଫଗୁଦଶମୀ
ଫଗୁ ବୋଳା ଫଗୁ ଦଶମୀ
ଦଶମୀ ରୁ ଦୋଳ ପୂର୍ଣ୍ଣମୀ,
ଶ୍ରୀମନ୍ଦିରେ ହୁଏ ଉତ୍ସବ
ରଙ୍ଗର ମଧୁର ପରବ।
ତେର ଯାତ୍ରା ବାର ମାସରେ
ଦୋଳ ଯେ ଅନନ୍ୟ ତହିଁରେ ।
ସ୍କନ୍ଦ ପୁରାଣ ରେ ବର୍ଣ୍ଣିତ
ଶହସ୍ର ବର୍ଷ ର ଏ ଯାତ।
ଶ୍ରୀଜଗନ୍ନାଥ ଯେ ଶ୍ରୀକୃଷ୍ଣ
ନୁହଁନ୍ତି ଠାକୁରେ ଅଭିନ୍ନ।
ଧରାକୁ ଆସିଲେ ଫଗୁଣ
ଗୋପ କଥା ମନେ ଭାବିଣ,
ଚକାଡୋଳା ଲିଳା କରନ୍ତି
ଫୁଲର ଦୋଳିରେ ଝୁଲନ୍ତି।
ମନ୍ଦିରେ ଭକତ ଗହଳ
ଜୟ ଜଗନ୍ନାଥ ଚହଳ ।
ଦେଖି ଯେ ଚାଚେରୀ ବେଶଟି
ଭକତେ ହୁଅନ୍ତି ଧନ୍ୟ ଟି ।
ସରିଲେ ମଧ୍ୟାହ୍ନ ଧୂପ ଟି
ପ୍ରଭୁ ଯେ ଏ ବେଶ ହୁଅନ୍ତି।
ନାଲି ଶାଢ଼ୀ ଦିଅଁ ପିନ୍ଧନ୍ତି
ନାଲି ରୁମାଲ ସେ ଧରନ୍ତି।
ନାଲି ଶିରପା ଯେ ମଥାରେ
ନାଲି ରଙ୍ଗେ ଭାବ ରଙ୍ଗ ରେ ।
ସୁନାର ଅଳଙ୍କାର ନିଇତି
ଚତୁର୍ଦ୍ଧା ମୂରତି ନାଆନ୍ତି।
କାଳିଆ ବଳିଆ ହାତରେ
ନଳୀଭୂଜ ଖଞ୍ଜା ହୁଏ ରେ।
ପ୍ରଭୁ ଙ୍କ ଆୟୁଧ ଚିତ୍ର ଟି
ନଳୀଭୂଜ ଅଗ୍ରେ ଅଙ୍କା ଟି।
ଶ୍ରୀଜଗନ୍ନାଥ ଙ୍କ ଭୂଜରେ
ଶଙ୍ଖ ଆଉ ଚକ୍ର ଚିହ୍ନରେ।
ବଳିଆଙ୍କ ଭୂଜରେ ସେତ
ହଳ ମୂଷଳ ଯେ ଅଙ୍କା ତ ।
ସୁନାର କୁଣ୍ଡଳ କର୍ଣ୍ଣ ରେ
ଚନ୍ଦ୍ରିକା ଶୋଭିତ ଶିରରେ
ଜାତି ଜାତି ମାଳି ଗଳାରେ
ଅଣ୍ଟା ପଟି ବନ୍ଧା ଅଣ୍ଟାରେ।
ସୁଭଦ୍ରା ଙ୍କ କର୍ଣ୍ଣ ଯୁଗଳ
ଶୋଭେ ଚନ୍ଦ୍ର ସୂର୍ଯ୍ୟ କୁଣ୍ଡଳ ।
ସୁବର୍ଣ୍ଣ ତଡକି ନାଇତ
ସୁନ୍ଦର ଦିଶନ୍ତି ମାତା ତ ।
ରତନ ବେଦୀରେ ଠାକୁର
ଚାଚେରୀ ବେଶ ସେ ସୁନ୍ଦର।
ଶ୍ରୀଦେବୀ ଭୂଦେବୀ ଦେବୀଟି
ଦକ୍ଷିଣ ଘରକୁ ଯାଆନ୍ତି ।
ଦୋଳଗୋବିନ୍ଦ ଙ୍କ ସାଥିରେ
ବେଶ ହୁଅନ୍ତି ସେ ସେଠାରେ।
ବେଶ ଯେବେ ଶେଷ ହୁଏଟି
ରତନ ବେଦୀକୁ ଆସନ୍ତି।
ରତନ ବେଦିରେ ତହୁଁ ଯେ
ଆରମ୍ଭ ଚାଚେରୀ ନୀତି ଯେ।
ପ୍ରଭୁଯେ ଚନ୍ଦନ ଚର୍ଚ୍ଚିତ
ଅବିର ହୁଅଇ ବୋଳାତ ।
ପୂଜା ବନ୍ଦାପନା ହୁଅନ୍ତି
ଚାଚେରୀ ପ୍ରସାଦ ଲାଗେ ଟି ।
ମହାପ୍ରଭୁଙ୍କ ଆଜ୍ଞାମାଳ
ପାଇ ଆରମ୍ଭ ହୁଏ ଦୋଳ।
ଦୋଳ ଗୋବିନ୍ଦ ସାଥେ ଦେବୀ
ଭୂଦେବୀ ଆଉଯେ ଶ୍ରୀଦେବୀ,
ଦୋଳ ବିମାନେ ବିଜେ ହୋଇ
ଯାଆନ୍ତି ଦୋଳ ଯାତ୍ରା ପାଇଁ।
ବିମାନ ବଡୁ ସେବକେ ତ
ବିମାନ ବୋହି ନିଅନ୍ତି ତ।
ଘଣ୍ଟ କାହାଳୀ ବାଜୁଥାଏ
ମସାଲ ଆଗେ ଜଳୁଥାଏ।
ଜଗନ୍ନାଥ ବଲ୍ଲଭ ମଠ
ବିମାନେ ଦିଅଁ ଯାଆନ୍ତି ତ ।
ଧୂପ ଦୀପ ହୁଏ ଆଳତି
ପନ୍ଥି ଭୋଗ ଲାଗି ହୁଏଟି।
ଫଗୁ ଅବିର ଅରପଣ
ଭକତେ କରନ୍ତି ଦର୍ଶନ।
ଦଶମୀ ରୁ ପୂର୍ଣ୍ଣିମା ଯାଏ
ଏମିତି ଲିଳା ନିତି ହୁଏ।
ଚାଚେରୀ ଲିଳା ପ୍ରଭୁ କରି
ମନ୍ଦିରେକୁ ଆସନ୍ତି ଫେରି।
ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ
ଦୋଳବେଦୀ କୁ ଦିଅଁ ଆସି,
ଦୋଳି ରେତ ଦୋଳଗୋବିନ୍ଦ
ଝୁଲିଥାନ୍ତି ପୂର୍ଣ୍ଣିମା ଚାନ୍ଦ।
ଭୂଦେବୀ ଶ୍ରୀଦେବୀ ସାଥିରେ
ଝୁଲନ୍ତି ବସି ଝୁଲଣରେ ।
ମୁଦିରସ୍ତ ଯେ ଆସିଥାନ୍ତି
ଆଳତି ଅର୍ପଣ କରନ୍ତି।
ମେଣ୍ଢା କୁଡିଆ ପୋଡା ଯାଇ
ହୋଲିକା ଦହନ ହୁଅଇ।
ହୋଲିକା ପାଇଥିଲା ବର
ପୋଡିବ ନାହିଁ ତା ଶରୀର।
ପ୍ରହଲ୍ଲାଦ ଙ୍କୁ ମାରିବା କୁ
କୋଳେ ହୋଲିକା ଧରି ତାଙ୍କୁ,
ଅଗ୍ନି କୁଣ୍ଡରେ ପ୍ରବେଶିଲା
ବିଧାତା ତାକୁ ବାମ ହେଲା।
ବିଷ୍ଣୁ ଭକ୍ତଙ୍କୁ କଲେ ରକ୍ଷା
ଜଳିପୋଡି ମଲା ହୋଲିକା ।
ସରିଲେ ହୋଲିକା ଦହନ
ମନ୍ଦିରେ ଫେରନ୍ତି ବିମାନ।
ଦୋଳ ପୂର୍ଣ୍ଣିମା ଦିନସେତ
ସୁନାବେଶ ରେ ଜଗନ୍ନାଥ,
ଭକ୍ତେ ଦର୍ଶନ ଦେଇଥାନ୍ତି
ଚାଚେରୀ ଲିଳା ସାରିଥାନ୍ତି।
ରାଧାକୃଷ୍ଣ ଶ୍ରୀ ନାରାୟଣ
ସବୁ ବିଷ୍ଣୁ ମନ୍ଦିର ମାନ,
ଫଗୁ ଦଶମୀର ଦିନୁଟି
ଉତ୍ସବ ମୁଖର ହୁଅନ୍ତି।
ନାନା ରଙ୍ଗେ ହୁଅନ୍ତି ସଜ୍ଜା
ନିତି ଦୋଳଗୋବିନ୍ଦ ପୂଜା ।
ଅବିର ଅର୍ପଣ ହୁଅଇ
ମିଠାପିଠା ଭୋଗ ଲାଗଇ ।
ଫୁଲେ ଫୁଲେ ସଜା ବିମାନ
ବିଜେ ଦୋଳଗୋବିନ୍ଦ କୃଷ୍ଣ।
ବିମାନ ଗାଁଆରେ ବୁଲନ୍ତି
ଭକ୍ତ ଦ୍ବାରେ ଭୋଗ ଖାଆନ୍ତି।
ଦ୍ବାରେ ଦିଅଁ ଆସିବେ ବୋଲି
ଭକ୍ତେ ଅପେକ୍ଷା ଦୀପ ଜାଳି ।
ଝୋଟି ପଡ଼େ ଘର ଆଗରେ
କୁମ୍ଭ ବସେ ଝୋଟି ପାଖରେ ।
ଝୋଟି ପରେ ଦିଅଁ ବସନ୍ତି
ପନ୍ଥି ଭୋଗ ଲାଗି ହୁଅନ୍ତି।
ପ୍ରଭୁ ଙ୍କୁ ଘର ଦ୍ବାରେ ପାଇ
ଭକ୍ତେ ଯାଆନ୍ତି ଧନ୍ୟ ହୋଇ।
ପ୍ରଭୁଙ୍କର ଲିଳା ଅପୂର୍ବ
ଭାବ ଭକ୍ତିର ଦୋଳ ପର୍ବ।
ଗାଁଆ ଦାଣ୍ଡେ ହୁଏ ରୋଷଣୀ
ଭଜନ କୀର୍ତ୍ତନ ମନ ଜିଣି ।
ଲୋକ ନୃତ୍ୟ ଢୋଲ ମହୁରୀ
ଘଣ୍ଟ ଶଂଖ ବାଜଇ ତୂରୀ ।
ରଙ୍ଗ ମୟ ଗାଁଆ ଦିଶଇ
ଧନ୍ୟ ଦାଣ୍ଡ ପ୍ରଭୁ ଙ୍କୁ ପାଇ।
ନାନା ସ୍ଥାନେ ଦୋଳ ମେଳଣ
ଦଶମୀ ରୁ ଆରମ୍ଭ ଜାଣ ।
ଗାଁଆ ମଝି ଅବା ତୋଟାରେ
ଅବା କାହିଁ ଶିବ ମନ୍ଦିରେ,
ଗାଁ ଗାଁଆରୁ ଆସନ୍ତି ଦୋଳ
ମେଳଣ ରେ ହୁଅନ୍ତି ମେଳ।
ଦେଖିବାକୁ ହୁଏ ଗହଳି
ମେଳା ପୀଠ ପଡେ ଉଛୁଳି।
ଭକ୍ତ ମାନେ ଦିଅଁ ଦେଖନ୍ତି
ପ୍ରଭୁଙ୍କୁ ଫଗୁ ବୋଳି ଥାନ୍ତି।
ମେଲଣେ ହରି ହର ଭେଟ
ସୁନ୍ଦର ସେ ଭାବ ସଙ୍ଗତ।
ହରି ହରଙ୍କ ଫଗୁ ବୋଳା
ଅପୂର୍ବ ସେହି ଭକ୍ତି ଲିଳା।
ଶ୍ରଦ୍ଧା ଭକ୍ତି ମଧୁର ଛନ୍ଦ
କରିଦିଏ ପ୍ରେମେ ଆନନ୍ଦ।
ଏ ମେଲଣରୁ ସେ ମେଲଣ
ଯାଆନ୍ତି ସେ ଦୋଳ ବିମାନ।
ପୂର୍ଣ୍ଣିମା ଯାଏ ଯାତ୍ରା ହୁଏ
ଭକ୍ତ ଜନଙ୍କ ମନ ମୋହେ।
ଆକାଶ ରେ ପୁହ୍ନେଇ ଚାନ୍ଦ
ଦୋଳ ବୁଲା ଖୁସି ଆନନ୍ଦ।
ମେଲଣ ରେ ମେଳା ବସଇ
ସାଜସଜ୍ଜା ମନ ମୋହଇ।
ପିଲାଛୁଆ ମେଳା ବୁଲନ୍ତି
କିଣାବିକା କେତେ କରନ୍ତି।
ଯେବେ ଦିଅଁ ଫେରି ଆସନ୍ତି
ଦୋଳବେଦୀ ରେ ସେ ଝୁଲନ୍ତି।
ପାଞ୍ଚ ଦିନ ଦୋଳ ଯାତରା
ଫଗୁ ବୋଳା ଆହାକି ତୋରା ।
ଦୋଳଗୋବିନ୍ଦ ଙ୍କ ଏ ଲିଳା
ଉଣା କରେ ସଂସାର ଜ୍ବଳା।
ଦୋଳରେ ଗୋବିନ୍ଦ ଦର୍ଶନ
ଅଶେଷ ପୁଣ୍ୟ ଅରଜନ।
ସେଲାଗି ଦୋଳ ଯେ ମହାନ
ପ୍ରଣାମ ପ୍ରଭୁ ନାରାୟଣ।
