ଫେରିଛି ଫଗୁଣ
ଫେରିଛି ଫଗୁଣ


କଥା ଦେଇଥିଲ ଫେରିଲେ ଫଗୁଣ ତୁମେ ବି ଫେରିବ ବୋଲି
ଦେଖ ପ୍ରିୟା ଥରେ ଫେରିଛି ଫଗୁଣ ହାତେ ଧରି ରଙ୍ଗ ତୂଳୀ ,
ହସୁଛି ଧରଣୀ,ଫଗୁଣ ପରଶେ, ରଙ୍ଗର ପସରା ମେଲି
ମୁଁ ଏକା ଜଳୁଛି ବିରହ ନିଆଁରେ ତୁମେ ପାଶେ ନାହଁ ବୋଲି ।। ୧ ।।
ଆମ୍ରକାନନରେ ଗାଉଛି କୋକିଳ ପଞ୍ଚମ ରାଗିଣୀ ତୋଳି
ଉଡେ ପ୍ରଜାପତି ହରଷ ଚିତ୍ତରେ, ଖେଳୁଛି ଫୁଲରେ ଦୋଳି ,
ନବ ପ୍ରକରଣେ ନବୀନ ଶୋଭାରେ ହସେ ଧରା ମନ ଖୋଲି
ମୋ ଆଖିରେ କିନ୍ତୁ ଲୁହର ଶ୍ରାବଣ ପ୍ରିୟା ତୁମେ ନାହଁ ବୋଲି ।। ୨ ।।
ସକାଳ ଆସିଲେ କୁହୁଡ଼ି ସହିତେ ସୂର୍ଯ୍ୟ ଖେଳେ ଲୁଚକାଳି
ବହୁଛି ମଳୟ ପ୍ରୀତି ଗନ୍ଧ ନେଇ, ପ୍ରେମ-ରଂଗ ଦିଏ ବୋଳି ,
ଆସିଛି ବସନ୍ତ, ପ୍ରେମିକ ପଣରେ ସାଥିରେ ଆଣିଛି ହୋଲି
ମୋ ଜୀବନ କିନ୍ତୁ ଲାଗେ ଫିକା ଫିକା, ତୁମେ ପାଶେ ନାହଁ ବୋଲି ।। ୩ ।।
ବୁଝି ବି ବୁଝନା ଅବୁଝା ପ୍ରିୟା ମୋ କାହିଁ ଦୂରେ ଗଲ ଚାଲି !
ଫେରିଆସ ଥରେ ମନ ଅଗଣାକୁ ହୃଦୟ ଦୁଆର ଖୋଲି ।। ୪ ।।