STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ପବିତ୍ର କାର୍ତ୍ତିକ ମାସରେ ପଞ୍ଚକ

ପବିତ୍ର କାର୍ତ୍ତିକ ମାସରେ ପଞ୍ଚକ

1 min
226

     

ବର୍ଷର ବାର ମାସେ କାର୍ତ୍ତିକ ଅଟେ ଶ୍ରେଷ୍ଠ

   ଶ୍ରଦ୍ଧାଳୁ ଯେତେ ପାଳନ୍ତି କନିଷ୍ଠରୁ ଜ୍ୟେଷ୍ଠ,

ସାତ୍ତ୍ଵିକ ଭାବନାରେ ରୁହନ୍ତି ଏକନିଷ୍ଠ

      ପୁଣ୍ୟ ପବିତ୍ର କରିବାକୁ ପୃଥିବୀ ପୃଷ୍ଠ।

କାର୍ତ୍ତିକେୟଙ୍କ ନାମ ଅନୁଯାୟୀ କାର୍ତ୍ତିକ

       ଏ ମାସଟି ପରମ କରମର କାରକ,

ପୂଜା ବ୍ରତ ସେବା ଦାନର ସୁଯୋଗ ଏକ

     ପାଳନେ ମାନବ ଲଭଇ ଧର୍ମ ଅନେକ।

କାର୍ତ୍ତିକ ଅଟଇ ଶ୍ରୀବିଷ୍ଣୁଙ୍କ ଅତି ପ୍ରିୟ

     ବ୍ରତ ଉପାସନା କଲେ ପାପ ହୁଏ କ୍ଷୟ,

ଭକ୍ତିଭାବରେ ତଲ୍ଲୀନ ହୁଅଇ ହୃଦୟ

     ପାର୍ଥିବ ଦୁଃଖ କ୍ଳେଶକୁ କରି ହୁଏ ଜୟ।

ଦାନ ଧର୍ମ ଦିଅଁ ଦର୍ଶନ ପୂଜା ଅର୍ଚ୍ଚନା

     ଏଡ଼ିବାକୁ ସଂସାରରୁ ଜୀବନ ଯାତନା,

ଅନ୍ତରୁ ଅଜାଡି ଅର୍ଘ୍ୟ କରେ ଅଭ୍ୟର୍ଥନା

   ଜୀବନ ବୀଣାରେ ତୋଳି ମଧୁର ମୂର୍ଚ୍ଛନା।

ଆତ୍ମବିକାଶ ଜନହିତର ସତ୍ୟମାର୍ଗ

    ମୋକ୍ଷ ପ୍ରାପ୍ତିରେ ମାନବ ପାଇଥାଏ ସ୍ବର୍ଗ,

ମାସକ ଯାକ ବ୍ରତ ପାଳନ୍ତି ସବୁବର୍ଗ

      ଇନ୍ଦ୍ରିୟ କାମନା ବାସନା କରି ଉତ୍ସର୍ଗ।

ଭୁଞ୍ଜି ସାତ୍ତ୍ଵିକ ନିରାମିଷ ହବିଷ ଅନ୍ନ

      ଦୂର କରନ୍ତି କାମ କ୍ରୋଧ ହିଂସା ବିଘ୍ନ,

ସରସ ସୁନ୍ଦର କରିବାକୁ ଏ ଜୀବନ

      ନିଜ ସ୍ଵଭାବ ଚରିତ୍ର ରଖନ୍ତି ଅମ୍ଳାନ।

ମାସର ଶେଷ ପାଞ୍ଚଦିନ ପାଳି ପଞ୍ଚକ

    ମନୋବାଞ୍ଛା ମନାସନ୍ତି ହେବାକୁ ସାର୍ଥକ,

ଅନୂଢ଼ା କନ୍ୟା ଖୋଜଇ ଯୋଗ୍ୟ ବର ଏକ

    ଧ୍ୟାନ ଧାରଣାରେ ବ୍ରତ ପାଳି ମାସ ଯାକ।

ଅନ୍ତିମ ଦିବସଟି ଅଟେ ରାସ ପୂର୍ଣ୍ଣିମା

      ରାଧାକୃଷ୍ଣ ପ୍ରେମୀ ଯୁଗଳଙ୍କର ମହିମା,

ଆତ୍ମା ପରମାତ୍ମାଙ୍କ ସାନିଧ୍ୟ୍ୟର ଗାରିମା

      ସତ୍ୟ ଶିବ ସୁନ୍ଦରର ଶାଶ୍ଵତ ସୁଷମା।

ଶାସ୍ତ୍ରୀୟ ମତର ଅଛି ବହୁ ବିଶେଷତ୍ଵ

    ଅନୁଭବେ ବିଚାରି ବୁଝେ ଜ୍ଞାନୀ ତା' ତତ୍ତ୍ଵ,

ଜୀବନେ ଶାନ୍ତି ମୁକ୍ତି ପାଇବାର ମହତ୍ବ

     କାର୍ତ୍ତିକ ମାସ ପାଳିବାକୁ ଦିଏ ଗୁରୁତ୍ଵ।

ବାରମାସେ ମଧ୍ୟେ ପରମ କାର୍ତ୍ତିକ ମାସ

     ଆରାଧନା କରଇ ଜଣେ ରଖି ବିଶ୍ବାସ,

କଥାରେ ତାର ପ୍ରମାଣ ହୁଏ ନାହିଁ ଶେଷ

    ବ୍ରତ ପାଳେ ଯିଏ ହୁଏ ତା' ଆତ୍ମପ୍ରକାଶ।।

    

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract