ନମୋ ନମଃ ସହଶ୍ରାଂଶୁ
ନମୋ ନମଃ ସହଶ୍ରାଂଶୁ
ନମସ୍ତେ ନମସ୍ତେ ପ୍ରଭୁ ସୂର୍ଯ୍ୟ ନାରାୟଣ l
ତୁମ୍ଭେ ବିଶ୍ଵ ସୃଷ୍ଟି, ସ୍ଥିତି, ଲୟର କାରଣ ll
ନମ ନମ ପ୍ରଭୁ ଆଦିଦେବ ହେ ଆଦିତ୍ୟ l
ତବ ଆଗମନେ ହେଲା ଧରା ଉଦ୍ଭାସିତ ll
ନମସ୍ତେ ନମସ୍ତେ ପ୍ରଭୁ ତମ ନାଶ କାରୀ l
ହିମୋଘ୍ନ ତମୋଘ୍ନ ପ୍ରଭୁ ଅର୍କ ଦଇତାରୀ ll
ନମୋ ନମ ସହଶ୍ରାଂଶୁ ପ୍ରଭୁ ଅଂଶୁମାଳୀ l
ଉଦୟ ହୋଇଲ ଶୁଭେ ବିହଙ୍ଗ କାକଳି ll
ନମସ୍ତେ ନମସ୍ତେ ପ୍ରଭୁ ଦେବ ଛାୟାପତି l
ତୁମ୍ଭ ତାତ ମାତ ପ୍ରଭୋ କଶ୍ୟପ ଅଦିତି ll
ତୁମ୍ଭ କୁଳେ ଜନମିଲେ ଯେତେକ ନୃପତି l
ସଂସାରରେ ଥାପିଗଲେ ଅକ୍ଷୟ କୀରତି ll
ନମସ୍ତେ ନମସ୍ତେ ନମଃ ଦେବ ଦିବାକର l
ସଂସାରୁ ହରହେ ପ୍ରଭୋ ଅଜ୍ଞାନ ତିମିର ll
ନମସ୍ତେ ପ୍ରଭୁ ମାର୍ତ୍ତଣ୍ଡ ନମସ୍ତେ ଅର୍ଯ୍ୟମା l
ଯମ ତୁମ୍ଭ ପୁତ୍ର, କନ୍ୟା, ଅଟନ୍ତି ଯମୁନା ll
ତାରାଗଣ ଲୁପ୍ତ ହେଲେ, ଅସ୍ତ ତାରାପତି l
ଦିନକର ଚରଣେ ମୋ କୋଟିଏ ପ୍ରଣତି ll