ନିଶା କବିତା ଲିଖନ
ନିଶା କବିତା ଲିଖନ
କବିଟିଏ କେବେ ଭାବିନି ନିଜକୁ
ହେଲେ ଦି' ପଦ ଲେଖଇ
ଉଦ୍ଦେଶ୍ୟ ମୋହର ସମାଜେ ସଂସ୍କାର
କେବଳ ଆଣିବା ପାଇଁ ।
ସମାଜ-ପୁସ୍ତକ ପଢ଼ି ପଢ଼ି ନିତି
ମନଟା ପରା ଉଚ୍ଛନ୍ନ
ଦେବାକୁ ଚେତାଇ ହୋଇଛି ଆଗ୍ରହୀ
ଖେଳାଇ ମୁଁ ତନ୍ନତନ୍ନ ।
ମୋ ଅନୁସନ୍ଧାନ ଭିତରେ ଯେତିକି
ହୃଦୟକୁ ଛୁଇଁ ଯାଏ
ଭାବନାରାଜିରୁ ନିଃସୃତ ଶବଦେ
ଲେଖନୀ ମୋର ଆଗାଏ ।
ଏଥୁ ସଫଳତା ବିଫଳତା କେତେ
ବୁଝେ ନାହିଁ ମୋର ମନ
କେବଳ ବିଶ୍ୱାସ ଭରସା ସାଥିରେ
ହୁଅଇ ଭାବପ୍ରବଣ ।
କେହି ଯଦି ପଢ଼ି ଉତ୍ସାହର ବାଣୀ
ମୋହର କାନେ ଶୁଣାଏ
ଖୁସିରେ ମନଟା ସତେ ନାଚିଯାଏ
ଧନ୍ୟବାଦଟିଏ ଦିଏ ।
ତ୍ରୁଟି ବିଚ୍ୟୁତିକୁ ଯଦି କେ ଜଣାଏ
ତାହାଠି ବଢ଼େ ସମ୍ମାନ
ନିଜର ପାରିଲାପଣର ପ୍ରୟୋଗେ
ହୋଇଥାଏ ସଂଶୋଧନ ।
ଉତ୍ସାହ ପ୍ରେରଣା ଯୋଗାଏ ମନକୁ
ଆନ କବିତା ପଠନ
ସାଉଁଟି ଚାଲଇ ଶବଦ ସମ୍ଭାର
ଭାବି ମଣି ମୁକ୍ତା ଧନ ।
ବନ୍ଧୁତା କରିଛି କବିତା ସାଥିରେ
ସିଏ ମୋ ଜୀବନ ଧନ
କବି ହେବା ନିଶା ନାହିଁ ସିନା ମୋର
ନିଶା କବିତା ଲିଖନ ।