STORYMIRROR

Kabiratna Nutan Kumar Behera

Drama Action Inspirational

3  

Kabiratna Nutan Kumar Behera

Drama Action Inspirational

ନୀଳାଦ୍ରି ମଣି

ନୀଳାଦ୍ରି ମଣି

1 min
42


ନିଳାଦ୍ରିର ମଣି    ସର୍ବଗୁଣେ ଗୁଣୀ

     ସଂସାରର ରକ୍ଷାକର୍ତ୍ତା,

ସତ୍ୟ ଧର୍ମ ପାଳି     ଜଗତ ସମ୍ଭାଳି

     ସଭିଙ୍କୁ ଦିଅନ୍ତି ବାର୍ତ୍ତା।

ଚଉଦ ବ୍ରହ୍ମାଣ୍ଡ    ରଖି ସେ ଅଖଣ୍ଡ

     ଚଳାନ୍ତି ତାଙ୍କ ନିର୍ଦ୍ଦେଶେ,

ଜୀବଜନ୍ତୁ ପ୍ରାଣୀ   ତାଙ୍କ ଗୁଣ ଜାଣି

     ଶରଣ ନିଅନ୍ତି ପାଶେ।

ନୀଳଶୈଳ ବାସୀ   ଶ୍ରୀକ୍ଷେତ୍ରକୁ ଆସି

      ରହିଛନ୍ତି ନୀଳାଚଳେ,

ଦାରୁବ୍ରହ୍ମ ରୂପେ   ସ୍ଵୟଂ ପ୍ରଭୁ ଆପେ

      ବିରାଜ ବଡ଼ ଦେଉଳେ।

ନୀଳ ରୂପକାନ୍ତି   ଦେଖି ମିଳେ ଶାନ୍ତି

      ବିଶ୍ବରେ ନୀଳାଦ୍ରି ମଣି,

ପ୍ରଭୁ ଚକାଡୋଳା  କରନ୍ତି ଯେ ଲୀଳା 

      ବାଙ୍କ ତାଙ୍କର ଚାହାଁଣି।

ଗୁଣ୍ଡିଚା ରାଣୀଙ୍କୁ    ଖୁସି କରିବାକୁ

      ପ୍ରଭୁ ଦେଇଥିଲେ କଥା,

ବରଷକୁ ଥରେ  ଯିବେ ତାଙ୍କ ଘରେ

      କରିବେ ନାହିଁ ଅନ୍ୟଥା।

କଥା ରଖି ବିଭୁ    ଯା'ନ୍ତି ମହାପ୍ରଭୁ

      ଭାଇ ଭଉଣୀଙ୍କ ସାଥେ,

ଛାଡି଼ ଶ୍ରୀମନ୍ଦିର    ଜଗତ ଠାକୁର

      ବୁଲି ଯା'ନ୍ତି ବସି ରଥେ।

ଯା'ନ୍ତି ବଡ଼ଦାଣ୍ଡେ   ରଥ ତିନି ଖଣ୍ଡେ   

     ଭକତେ ପାଆନ୍ତି ଦେଖା,

ଆଡ଼ପ ମଣ୍ଡପେ   ଉଭା ଦିବ୍ୟରୂପେ

      ଆଶିଷେ କରନ୍ତି ରକ୍ଷା।

ନବରାତ୍ର ପରେ   ବାହୁଡ଼ନ୍ତି ପୁରେ

      ରଥଯାତ୍ରା ପର୍ବ ସାରି,

ନୀଳାଦ୍ରି ବିହାରୀ   ଶଙ୍ଖ ଚକ୍ରଧାରୀ

      ଶୁଣନ୍ତି ସବୁ ଗୁହାରି।

ଚତୁର୍ଦ୍ଦଶୀ ତିଥି   ଶ୍ରୀମନ୍ଦିରେ ସାଥୀ

     ନ ହୋଇ ଭାଇ ଭଉଣୀ,

ଏକା ବଡ଼ ଭାଇ   ଭଉଣୀ ପଛେଇ

      ବିଜେ ହୁଅନ୍ତି ଅଗ୍ରଣୀ।

ମାତା ମହାଲକ୍ଷ୍ମୀ   ଅଟକାଇ ସ୍ଵାମୀ

     ଓଗାଳି ବସନ୍ତି ପଥ,

ନେଲେ ନାହିଁ ବୋଲି ଗଲେ ତାଙ୍କୁ ଭୁଲି  

     ଅନାଥ କଲେ ଯେ ନାଥ।

ଏ କି ସ୍ଵାମୀପଣ   କଲ ହଇରାଣ  

     ସ୍ତ୍ରୀ ପାଶେ ନାହିଁ ଆଦର ?  

ଏକା କରି ଗଲ   କିଛି ନ ବୁଝିଲ

      ଦିଅ ହେ ତା' ଉତ୍ତର।

ନାନା ଭାବେ କଟୁ  କଥା କହି ବାଟୁ

     ପ୍ରଭୁଙ୍କୁ ଦେଲେ ହଟାଇ,

ମାୟାଧର ମାୟା  ଛଳେ କରି ଦୟା

      କହିଲେ ସବୁ ବୁଝାଇ।

ମୃଦୁ ମୃଦୁ ହସି   ତାଙ୍କ ପାଶେ ଆସି 

     ପ୍ରକାଶିଲେ ମଧୁବାଣୀ,

ରସଗୋଲା ଦେଇ ନେଲେ ମନ ମୋହି

    ମାନ ଭାଙ୍ଗି ଗଲେ ଜିଣି।

ମାତା କଲେ ରୋଷ ନାଥ ହେଲେ ବଶ

      ମିଳନେ ମିଶିଲା ମନ,

ପତି ପତ୍ନୀ ବେନି   ଏକ ପ୍ରାଣ ଘେନି

    ସଂସାରେ ପରା ଜୀବନ।

ହେଲା ଶଙ୍ଖନାଦ   ହରିବୋଲ ଶବ୍ଦ

       ହୁଳହୁଳି କୋଳହଳ,

ନୀଳାଦ୍ରି ଶ୍ରୀନାଥ  ଖୋଜି ପାଇ ପଥ

     ବିଜେ ହେଲେ ସେ ଚଞ୍ଚଳ।

ଶ୍ରୀମନ୍ଦିରେ ପଶି   ସିଂହାସନେ ବସି

     ଭକ୍ତଙ୍କୁ ଦେଲେ ଆଶିଷ,

ମାତା ଲକ୍ଷ୍ମୀଦେବୀ  ଭାବେ ଅନୁଭବି

     ବିଜେ କଲେ ଅନ୍ତପୁରେ,

ଲୀଳାମୟ ପ୍ରଭୁ   ବିଶ୍ଵେ ମହାବାହୁ

     ଯଶ ବର୍ଣ୍ଣିଲେ ନ ସରେ।

ଜୟ ଜଗନ୍ନାଥ       ନୟନର ପଥ

      ମହାପ୍ରଭୁ ନାରାୟଣ,

ତୁମ ବିନା ଗତି   ନାହିଁ ଶାନ୍ତି ମୁକ୍ତି

     ପାଦେ ଦିଅ ହେ ଶରଣ।


      


        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama