ନାରୀ
ନାରୀ
ପୁରୁଷ ବହୁଳ ଏ ଦ୍ରୁତ ସମାଜେ
ଲୋତକ ସାଗରେ ମନେ ମନେ ଖୋଜେ,
ଲଭିଛି ବା କ'ଣ ? ଦୁର୍ଗ ଯାତନାରେ
ଭାଗ୍ୟକୁ ଆଦରି ନିତି କଷ୍ଟେ ଭିଜେ ।
ବେନି ନୟନେ ଭରା ଅଶ୍ରୁଧାରେ
ଶୁଭୁଅଛି ନଭେ କରାଳ କାହାଣୀ,
ମାତିଛି ସଂସାରେ "ନାରୀ ନିର୍ଯାତନା"
ଅର୍ଦ୍ଧ ନଗ୍ନ ଛବି ଅଝଟ ମାନିନୀ ।
ଅବୁଝା ବକ୍ଷକୁ କରି ପ୍ରଶମିତ
ହସି ହସି ଗାଏ କୋହର ସଂଗୀତ,
ଶାଣିତ କରାଏ ନିଜ ଭାବନାକୁ
ଝୁରୁଥାଏ ବସି 'ଅଲୋଡା ଅତୀତ ।
ସମାଜରେ ସେ ଯେ ଜନକ ନନ୍ଦୀନି
ହସ ତା ସାଜିଛି ଅଦୃଶ୍ୟ ରାଗିଣୀ,
ବରଷିବ କାଳେ ଏ ଭବ ସଂସାରେ
ସୁଖ ଶ୍ରାବଣର ଦୃଶ୍ୟ ନିର୍ଝରିଣୀ ।
ଖଣ୍ଡାଧାରେ ଚାଲେ ଗାଇ ନିଜ ଗୀତ
ଅସୁମାରୀ ଆଶା ଅପାସୋରାତୀତ,
ତୁଳସୀ ବୃକ୍ଷକୁ କରିଦେଇ ସାକ୍ଷୀ
ଭରି ଚାଲିଥାଏ ହୃଦୟେ ଅମୃତ ।
ଅମାବାସ୍ୟା ସେତ ଭରା ଶ୍ରାବଣର
ପୂର୍ଣିମାକୁ ଦେଖି ହୁଏନି କାତର,
ଆସିବ ସେ ସୁଖ ଆଶା ନେଇ ମନେ
ଚାହିଁ ବସିଥାଏ ଅଦୃଶ୍ୟ ଗଗନେ ।
