STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ମୁଁ ହେବି‌ ରଜ କୁଇନ୍

ମୁଁ ହେବି‌ ରଜ କୁଇନ୍

2 mins
178


    (ରମ୍ୟ ରଚନା)

ଟିଭି ପ୍ରୋଗ୍ରାମରେ ରଜ କୁଇନ୍ ହେବ

   ଘରଣୀ ଗୋଡ଼ କାଢିଛି‌,

ଶୋଇବସି‌ ଭାଇ ଦେଉନାହିଁ ଯାହା

   ମୋ ପଛେ ପଡ଼ି ଯାଇଛି।

ଆଲବମ୍ ଗୀତ ଭେଙ୍ଗଡା‌ ନାଚରୁ

    ଯଦି କେଇଟା ଶିଖିଛି,

ପୁରାଣ ସଂସ୍କୃତି ପରମ୍ପରା କିନ୍ତୁ

   ସେସବୁ ପୋଡ଼ି ଖାଇଛି।

ପୂର୍ବରୁ ଅନେକ ଅଡିସନ‌ ଦେଇ

   ଅବଶ୍ୟ ଫେଲ୍‌ ମାରିଛି,

ତଥାପି ଟିଭିରେ ମୁହଁ କାଢ଼ିବାକୁ

    ଏକା ଯିଦି‌ ଧରିଅଛି।

ବିଚାରକଙ୍କର ଗୋଟେ ପ୍ରଶ୍ନର କି

    ଉତ୍ତର ଦେଇ ପାରୁଛି‌,

ଲିପିଷ୍ଟିକି‌ ଖାଲି ଓଠରେ ସେ ବୋଳି

    ଷ୍ଟାଇଲି ଯାହା ମାରୁଛି।

ରଜ ପରବର‌ ଉଦ୍ଦେଶ୍ୟ ଓ ଲକ୍ଷ୍ୟ

    ତାକୁ ବି କୋଉ ଜାଣିଛି,

ନାଚ ଗୀତ କିଛି ଶିଖିଛି ବୋଲି ସେ

    ହିରୋଇନ୍‌ ଭାବୁଅଛି।

ଓଡ଼ିଶାର କେତେଗୋଟି ଜିଲ୍ଲା ଅଛି

    ସେ କଥାଟି ନାହିଁ ଜଣା,

କାହାକୁ ତୁଳସୀ କ୍ଷେତ୍ର କୁହାଯାଏ

    ତାହା ବି ତାକୁ ଅଜଣା।

ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନାମ

    ଜମା କହିପାରେ ନାହିଁ,

ଫିଲିମ୍ ହିରୋଙ୍କ ନାଆଁ ପଚାରିଲେ

    ଗଳ‌ ଗଳ‌ ଦେବ କହି।

ଜାତୀୟ ପଶୁର ନାମ ପଚାରିଲେ

    ଷଣ୍ଢ ବୋଲି ସିଏ କହେ,

ଜାଣି ପାରୁନାହିଁ କ'ଣ ପାଇଁ ସେ

    ଲୋକ ହସା‌ କରୁଥାଏ?

ଏମିତି ଆଗରୁ ଗୃହଲକ୍ଷ୍ମୀ ସୋ‌

    ଯିବାପାଇଁ ଯିଦି କଲା,

ଅକାରଣେ ସିନା ଟଙ୍କା ଖର୍ଚ୍ଚ ହେଲା

    କିଛି ବି ଫଳ ନୋହିଲା।  

କି ସୋ‌ ଚାଲିଛି ଟିଭି ବାଲା ଯାହା

    ବାଇଆ ୟାଙ୍କୁ କରୁଛି,

କୂଳ ଭୁଆସୁଣୀ ଘରୁ ଗୋଡ କାଢି

     ଡିଜେ ଡ୍ଯାନ୍ସ୍ ମାରୁଅଛି।

ରଜ ଆସୁଥିଲା ମାସକ ଆଗରୁ

     ରଜ ବାସ୍ନା ହେଉଥିଲା,

ଅଳତା, କୁଙ୍କୁମ,ସ୍ନୋ, ପାଉଡରେ

     ଗାଆଁଟି ମହକୁ ଥିଲା।

ସାବୁନ ବାସ୍ନାରେ ଗାଧୁଆ ତୁଠଟା

     ରଜକୁ ସ୍ଵାଗତ କରେ,

ବିରି ଚାଉଳକୁ ବୋଉ ଯେବେ ଚୁରେ‌

     ରଜ ବୋଲି ଜଣାପଡ଼େ।

ବିଭିନ୍ନ ପ୍ରକାର ରଜ ଦୋଳି ସଙ୍ଗେ

     ସଜବାଜ ଯେତେ ଚାଲେ,

ମେଳହୋଇ ଗାଆଁ ଝିଅ ବୁଲୁଥିଲେ

     ରଜର ଆନନ୍ଦ ମିଳେ।

ଆଜି କିନ୍ତୁ ରଜ କେଉଁ ବାଟେ ଆସେ

     କେଉଁ ବାଟେ ଚାଲିଯାଏ,

ରଜ ପାନ ଆଉ ରଜ ପୋଡପିଠା

     ଟଙ୍କାରେ ଯେ ବିକ୍ରି ହୁଏ।

ନାହିଁ ସଜବାଜ ନାହିଁ ତ ମ‌ଉଜ

     ରଜ ରଜ ହୋଇନାହିଁ,

ସିନେମା ହଲ୍‌‌ରେ ଫିଲ୍ମ ଦେଖା ନାହିଁ

     ଠେଲା ପେଲା ହେଉନାହିଁ।

ବଟାଘଷା କୁଟା ବାରଣ ଥାଇକି

     ଆଜି ବେଶୀ ତାହା ଚାଲେ,

ମଦ ମାଂସ ପାଇଁ ଲୋକମାନଙ୍କର

     ଲାଇନି ଆଖିରେ ପଡ଼େ।

ବନସ୍ତରେ ଗଜ କୋଉଠି ଡାକୁଛି

     ଆଉ କାନେ ବାଜୁ ନାହିଁ,

ରଜ ପିଠା ଆଜି ପିଜା ପେଟିସିରେ

    ସଭିଙ୍କ ମନ ମୋହ‌ଇ।

ବାଗୁଡ଼ି ଖେଳରେ ଗାଆଁ ଆମ୍ଵତୋଟା

    ଆଉ କିବା କମ୍ପୁଅଛି,

ପୁଚିଖେଳ ଭୁଲି ଗାଆଁ ଝିଅ ଦେଖ

    ଜିନ୍ ପିନ୍ଧି ବୁଲୁଅଛି।

ଭାଇଚାରା‌ ନାହିଁ ସମ୍ପର୍କ ବି ନାହିଁ

    ବନ୍ଧୁଘର‌ ବୁଲା ନାହିଁ,

ଅବଶ୍ୟ ଭରିଛି ହିଂସା,ଦ୍ଵୈଷ ଆଜି

    ମଣିଷ ମନରେ ଭାଇ।

ମୋବାଇଲ ଖୋଲି ଫେସବୁକ ସାଙ୍ଗ

    ସମସ୍ତେ ତ ଖୋଜିଲେଣି,

ସ୍ବାର୍ଥ ପାଇଁ ବନ୍ଧୁ ସମ୍ପର୍କକୁ ଭୁଲି

     ଆନନ୍ଦ ହରେଇଲେଣି।

ରଜ ପର୍ବ ମନେ ରଖିବାକୁ ଯେତେ

     କୃତ୍ରିମ ପ୍ରୟାସ‌ କଲେ,

ଆଜି କିନ୍ତୁ ସେହି ରଜ ଦୋଳିଗୀତ

     ହୃଦୟ କି ଗାଇପାରେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy