ମୁଁ ଆଉ ମୋ' ନିରୋଳାପଣ
ମୁଁ ଆଉ ମୋ' ନିରୋଳାପଣ
ମୁଁ ଆଉ ମୋ' ନିରୋଳାପଣ
ବଚସା କରନ୍ତି ସବୁବେଳେ ସବୁକ୍ଷଣ
ଚୁପ୍ ଚାପ୍ ଫୁସ୍ଫାସ୍ କୁହନ୍ତି ଫଣଫଣ
ମନେ ମନେ ଗପନ୍ତି ଲଢନ୍ତି ଭଣଭଣ
ନିଜ ସହିତ କଥା ହୁଅନ୍ତି ଗୋଟାପଣ
ଲଂଘି ଯାଆନ୍ତି ମନେମନେ ରେଖା ଲକ୍ଷ୍ମଣ
ବଚସା ଚର୍ବିତ ଚର୍ବଣ
ଛାତି ଫଟେଇ ଦେବେ ଲଘୁ ଲୁହାଣ
କର୍ମଣା ଫଅଁ ଫଅଁ ଅଶ୍ରୁ ବର୍ଷଣ ।
ମୁଁ ଆଉ ମୋ' ନିରୋଳାପାଣ
ମୀତ ବସନ୍ତି ହାତ ମିଳାନ୍ତି କ୍ଷଣକୁ କ୍ଷଣ
କଥାରେ ସର ଲବଣୀ ଦୁଧଭାତ ଭକ୍ଷଣ
ଆଶା ଆଙ୍କନ୍ତି ଅନନ୍ତ ଅସରନ୍ତି ଅକ୍ଷୟୌଣୀ
କୌରବ ସେନା ପରି ସଂଖାରେ ଟାଣପଣ
ଅବାନ୍ତର ପ୍ରସଙ୍ଗେ ବାକ୍ୟଯୋଦ୍ଧା ସେନାଗଣ
ଅସଲି ସମସ୍ୟାବେଳେ ସମର୍ଥ ଉତ୍ତରଣ ।
ମୁଁ ଆଉ ମୋ' ଏକାନ୍ତପଣ
ଚୁଗୁଲି କରନ୍ତି ମୁଣ୍ଡରେ ତୁଣ୍ଡରେ ଶୂନ୍ୟପଣ
ସକାଳୁ ଜଳଖିଆରେ କଣ ରାନ୍ଧିବି ?
ଦ୍ଵି-ପହର ତରକାରୀ କଣ କରିବି ?
କଉଁ କଉଁ ପରିବା ଧୋଇବି କାଟିବି?
ରାତିରେ ପୁଣି କଉଁ ଭଜା ସନ୍ତୁଳା ବନେଇବି
ଇତ୍ୟାଦି ଇତ୍ୟାଦି ମୁଣ୍ଡ ଗଣ୍ଡି ଅକାରଣ ।
ମୁଁ ଆଉ 'ମୋ' ଏକେଲାଗୁଣ
ବଦନ୍ତି ଭାଷନ୍ତି ଚିନ୍ତାରେ ସାଧାରଣ
ଅପରନ୍ତୁ ଅନୁଚିନ୍ତାରେ ଅସାଧାରଣ
ରୋଷେଇ ଘର ନୁହଁ ତ ଅଗ୍ନିଶାଳ
ପାକଶାଳ ନୁହଁ ତ ନିଆଁହୁଳ
ଘର ଲୋକେ ମୋତେ ଦୁଆର ମନା କରନ୍ତେ କି ?
ରାଣ ପକଉଛି କଳା ଠାକୁର
କାନ ଧରୁଛି ଜଗତ ଠାକୁର
ନାକ ଛୁଉଁଛି ବଡ଼ ଠାକୁର
କେବେ ବି ପଚାରିବିନି
କାହିଁକି ଦଣ୍ଡ ପାଇଲି କହିବିନି
ଉଁ କି ଚୁଁ କରିବିନି
କାନେ ଦି କାନ ବି ହେବିନି
ବୋଉ ବି ଜାଣିବିନି
କିନ୍ତୁ ଦାଣ୍ଡରେ ପଡି ହାଟିରେ ଗଡିବଣି
ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ।
ମୁଁ ଆଉ ମୋ' ସମସ୍ୟାଗଣ
ଭ୍ରମଣ କାହାଣୀ ପରି ସରଳ ତରଳ ଗୁଣ
ବର୍ଣ୍ଣନାରେ ପ୍ରାଞ୍ଜଳ ବାକ୍ୟବାଣ
ଛୋଟ ମୋଟ ଅସୁବିଧାକୁ
ପୋଷ୍ଟ ମୋର୍ଟମ ସଙ୍ଗେ ସଙ୍ଗେ ତୁଣ୍ଡ କମାଣ
କାଟି କାଟି କୁଟୁରା ଟୁକୁରା ଖଣ୍ଡ ଖଣ୍ଡ କଣ କଣ
ସମସ୍ୟା ବାଜେଣୀ ନୂପୁର ପରି ଝଣଝଣ
ସୁନ୍ଦର ଡଉଲ ଡାଭଲ କଣ୍ଡା ବାଇଗଣ ।
ମୁଁ ଆଉ ମୋ' ସମାଧାନଗୁଣ
ଦୁର୍ବଳ ସିନା ତର୍କରେ ତର୍ଜମାରେ
କିନ୍ତୁ ସବଳ ଆତ୍ମସମ୍ମାନ ରକ୍ଷଣ
ଯୁକ୍ତିରେ କ୍ଷଣଭଙ୍ଗୁର ସିନା
ମନ ମୁଖିଆ ଏକବାଗିଆ ଛିଦ୍ର ବିନ୍ଧାଣ
ସମାଧାନ କଥା କହିଲେ ଟାଣପଣ
ମୁଁହ ମୋଡି ଦେଇ ଛତ୍ରଭଙ୍ଗ ପ୍ରସଙ୍ଗ ହରଣ ।
