ମୋ ବାପା
ମୋ ବାପା
ତୁମେ ଥିଲ ବାପା ସବୁ ଥିଲା ମୋର, କରିଦେଇଗଲ ଏକା,
ସାତ ରଙ୍ଗ ଭରା ଇନ୍ଦ୍ରଧନୁ ଆଜି, ପାଲଟିଗଲାକି ଫିକା I
ତୁମରି ଅଭାବ ବୁଝି ମୁଁ ନଥିଲି, ଦେହଧାରୀ ଯେବେ ଥିଲ,
ବିଦେହରେ ଖୋଜେ ଆଉ କି ପାଇବି, ତୁମେ ବୋଧେ ଋଷିଗଲ I
ତୁମେ ଗଲା ପରେ ଭାବେ ବସି ଖାଲି, ହୁଅନ୍ତା କି ତୁମ ଦେଖା,
ପଚାରନ୍ତି ଟିକେ କି ଦୋଷ ମୁଁ କଲି, ଛାଡି ଚାଲିଗଲ ଏକା I
ଯାନିଯାତରାକୁ ଗଲାବେଳେ ତୁମେ, ନେଉଥିଲ ସାଥି କରି,
ଆଜି କାହିଁ ତୁମ ମନେ ପଡିଲାନି, ଚାଲିଗଲ ପର କରି I
ଭାବିଲନି ଟିକେ କାନ୍ଦିବ ମୋ ଝିଅ, ମୋ କଥାକୁ ମନେ ପାଞ୍ଚି,
ଲୁହ ପୋଛିଦେବ କିଏ ଆଉ ତାର, କାନ୍ଦୁଥିଲେ ଲୁଚି ଲୁଚି I
ମା’ ଗାଳି ଦେଲେ ରାଗିଲେ ଋଷିଲେ, କିଏ ଆଉ ବୁଝେଇବ,
ମା’ ଗାଳି ପରା ଦାଣ୍ଡ ଧୂଳି ଅଟେ, ମା’ ପରି କିଏ ହେବ I
ରାତିରେ ମୁଁ କାଳେ ଭୋକ ଉପାସରେ, ଶୋଇଯିବି ନଖାଇ,
କେତେ ରାଜାରାଣୀ ଗପ ଶୁଣେଇଛ, ମନେ ଅଛି ଭୁଲି ନାହିଁ I
ସତ କହି ପଛେ ଜୀବନ ଦେବାକୁ, ଦେଇଛ ମୋତେ ଶିଖେଇ,
ମିଛ ଆଗେ କେବେ ମଥା ନଇଁବୁନି, କହିଛ କେତେ ବୁଝେଇ I
ସୁନାର ସଂସାର ଗଢିବା ପାଇଁକି, ପିଇଲ ସବୁ ଗରଳ,
ନିନ୍ଦା ଅପବାଦ ସବୁ ତ ସହିଲ, ଆଖିରେ ଦେଇ ପରଳ I
ବଞ୍ଚିବାକୁ ମୋତେ ଦେଇଛ ଜୀବନ, ଦେଇ ରକ୍ତମାଂସ ହାଡ,
ଦାନା କନା ଦେଲ ନିଜ ପେଟ ମାରି ,କରିବାକୁ ମୋତେ ବଡ I
ତୁମ ହାତ ଗଢା ମାଟି ପିଣ୍ଡୁଳା ମୁଁ ,ଛାଡିଦେଲ ଅଧା ଗଢି,
କେମିତି ଗଢିବି ନିଜେ ମୁଁ ନିଜକୁ, ତୁମେ ଦେଲ ହାତ ଛାଡି I
ତୁମରି ସପନ ପୁରା କରିବାକୁ, ଦିଅ ଆଶୀର୍ବାଦ ମୋତେ,
ସତ୍ୟ ଆଉ ନ୍ୟାୟ ପଥରେ ଚାଲିବି, ହେଲେ ହେଉ କଷ୍ଟ ଯେତେ I