STORYMIRROR

Dharitri Das

Inspirational Children

3  

Dharitri Das

Inspirational Children

ମମତା ମୟୀ ମୋ ମାଆ

ମମତା ମୟୀ ମୋ ମାଆ

1 min
183

ମାଆର ମମତା     ବର୍ଣିତା କ୍ଷମତା

      ଅଛିତ କାହାର କୁହ

ସନ୍ତାନର ହିତ      କରଇ ସର୍ବଦା

      ପିଇଥାଏ ଆଖିଲୁହ।

ସହିଷ୍ଣୁତା ପଣେ  ମାଆ ମୋର କେତେ

      ପ୍ରବୀଣ ସହନଶୀଳା

ଏକଥା ବୁଝିଲା   ବେଳକୁ ମା'ମୋର

      ତ୍ୟାଗ କଲା ଇହଲୀଳା।

ମାତୃ ଗର୍ଭେ ଥାଇ    ମାରିଥିଲି ମୁହିଁ

      କେତେଯେ ଗୋଇଠା ବିଧା

ସେଥିପାଇଁ ତାର    ମନ ମଧ୍ୟେ ନାହିଁ

      ତିଳେ କ୍ଷୋଭ ଅବା ଦ୍ଵିଧା ।

ଶୈଶବ କାଳରେ   କୋଳେ ମଳ ମୂତ୍ର

      ତ୍ୟାଗେ କରିଲି ଅସନା

ଘୃଣା ଭାବ ଛାଡି    ମହା ଆନନ୍ଦରେ

      କୋଳେଇ ନେଇଛି ସିନା।

ବାଳୁତ କାଳରେ     କରୁଥିଲି ମୁହିଁ

      କେତେ ଅଳି ଅରଦଳି

ସବୁ ସହୁଥିଲା   ନ ଦେଇଣ ମୋତେ

     କେବେହେଲେ ଟିକେ ଗାଳି।

ଯୌବନ ଅବସ୍ଥା   ଆସିଗଲା ଯେବେ

      ସୁନ୍ଦରୀ କନିଆଁ ବାଛି

ବିବାହ ବନ୍ଧନେ   ବାନ୍ଧି ଦେଲା ସିଏ

      ମୋହରି ସୁଖକୁ ଇଛି।

ହେଲେ ମୁଁ ଅଧମ   ପାଗଳ ହୋଇଲି

      ଘରଣୀ ମାୟାରେ ପଡି

ମାଆକୁ ମୋହର ବିନା ଦୋଷେ ନେଇ

      ବୃଦ୍ଧାଶ୍ରମେ ଦେଲି ଛାଡି।

ତଥାପି ମା'ମୋର   ବିଚଳିତ ନୋହି

      ଭଜୁଥିଲା ରାମହରି

ସନ୍ତାନର ସୁଖ     କାମନା କରିବା

      ଥିଲା ତାହାର ଗୁହାରୀ।

କହୁଥିଲା ସିଏ     ସନ୍ତାନର ଦୁଃଖ

     ମୋତେ ଦିଅ ବଂଶୀଧର

ପୁତ୍ର କନ୍ୟାଙ୍କୁ ମୋ  ସୁଖରେ ରଖ ହେ

       କଳାକାହ୍ନୁ ଚକ୍ରଧର।

ସେହି ସ୍ନେହମୟୀ    ମାଆର ମନକୁ

      ବୁଝିବାକୁ ଥରେ ହେଲେ

କରିନାହିଁ ଚେଷ୍ଟା   ଜୀବନରେ ମୋର

      ଅବହେଳା କରି ହେଳେ।

ଯେବେ ବୃଦ୍ଧାବସ୍ଥା   ପ୍ରବେଶ ହୋଇଲା

      ଯୁବାବସ୍ଥା ପରେ ପରେ

ସେତେବେଳେ ମୁହିଁ    ବୁଝି ପାରିଥିଲି

     ମାଆ କଥା ଧୀରେଧୀରେ।

ଅନୁତାପେ ଜଳି      ମାତୃ ଋଣ ଶୁଝି

      ହେବାପାଇଁ ପାପ ମୁକ୍ତ

ଭାବୁଥିଲି ମୁହିଁ       ବାକି ରହିଗଲା 

     ପୂର୍ଣ୍ଣ ନୋହି ମନୋରଥ।

ସେହି ମାଆ ପାଦେ    ପ୍ରଣତି ବାଢୁଛି

     କ୍ଷମା କର ମାଆ ମୋତେ

ତୋହପରି ମାଆ     ସବୁ ଜନମରେ

     ମିଳୁଥାଉ ଏ ଜଗତେ।

ମୋହପରି ପୁତ୍ର    କୌଣସି ମାଆକୁ

      ନମିଳୁ ଏହି ମରତେ

ଜଗତର ସବୁ      ପୁତ୍ର କନ୍ୟାଗଣ

     ମୋପରି ହୁଅନି ସତେ।

ଜନମ ଦେଇଛି      ପାଳନ କରିଛି

      ଜନନୀ ସେନେହ ମୟୀ

ଭୁଲିବନି କେବେ      ମମତାର ଧାର

      ତାମନେ ଦୁଖଃକୁ ଦେଇ।

ଆସ ଆସ ଭାଇ     ଭଉଣୀ ମୋହର

       ଆଜ ଏ ମାତୃ ଦିବସେ

ମାଆ ମାଟି ମାନ      ରଖିବା ପାଇଁକି

       ଶପଥ ନେବା ହରଷେ।

ବୃଦ୍ଧ କାଳେ ପିତା     ମାତାଙ୍କର ସେବା

       କରି ଆମେ ନିଜ ହାତେ

ଆନନ୍ଦ ଲଭିବା        ବୃଦ୍ଧାଶ୍ରମ ପ୍ରଥା

       ରହିବନି ଏ ଜଗତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational