ମିଇଁ ମିଇଁକା
ମିଇଁ ମିଇଁକା


ମିଇଁ ମିଇଁକା ମାଣିକ ରାଜା ନାଆଁଟି ମୋର ଛେଳି
ଶିଙ୍ଗରେ ମୋର ବହୁତ ବଳ ପାହାଡ଼ ଦେବି ଟାଳି ।
କଳା ମାଣିକ ପୁଅ ମୋହର ବାହା ହୋଇବ ଆଜି
ଅମୁକ ଗାଆଁ ସମୁକ ଝିଅ ଆସିବ ବୋହୁ ସାଜି ।
ମୋ" ପରିବାର ବନ୍ଧୁ ବାନ୍ଧବ ସଭିଏଁ ଛନ୍ତି ମିଳି
ଭୋଜିଭାତରେ ସାଙ୍ଗ ସାଥୀରେ ଘରଟା ଯାଏ ପୁରି ।
ଦାଢ଼ି ଆଉଁସି ଶିଙ୍ଗକୁ ଟେକି କହେ ମାଣିକ ରାଜା
ବର ଯାତିରୀ ଯିବା ପାଇଁକି କରରେ ସବୁ ସଜା ।
ମାଙ୍କଡ ଧରୁ ବିଜୁଳି ବତୀ ବିଲୁଆ ଫୁଙ୍କୁ ତୁରୀ
ଠେକୁଆ ଫୁଲ,କୁକୁର ଢୋଲ,ଭାଲୁ ଚଳାଉ ଗାଡି।
ବାଣ ମାରିବ ନେଉଳ ଭାଇ ଗଧ ବୋହିବ ଭାର
ପୁଷି ମାଉସୀ ନାଚ କରିବ ଘୋଡାରେ ଯିବ ବର ।
ବାଜା ବାଜିଲା ରୋଷଣୀ ହେଲା ଚାଲିଲା ପଟୁଆର
ଘୋଡାରେ ଚଢି କଳା ମାଣିକ ସାଜିଛି ଦେଖ ବର ।
ଚାଲିଲା ଗାଡି ଶଶୁର ବାଡ଼ି ସଙ୍ଗୀତ ତାଳେ ତାଳେ
ପୁଷି ମାଉସୀ ନାଚ କରୁଛି ବର ଯାତିରୀ ମେଳେ ।
ହେଣ୍ଟାଳ ଦେଲା ମହାବଳଟା ମଝି ଜଙ୍ଗଲେ ଆସି
ମିଇଁ ମିଇଁକା କଳା ମାଣିକ ଘୋଡ଼ାରୁ ଗଲା ଖସି ।
ଯିଏ ଯୁଆଡେ ପଳାଇଗଲେ ମହାବଳ କୁ ଦେଖି
ମିଇଁ ମିଇଁକା ମାଣିକ ରାଜା ଧାଇଁଲା ଲାଞ୍ଜ ଜାକି ।
କେଡେ ଗାରିମା ଦେଖାଉଥିଲା ମାଣିକରାଜା ଛେଳି
ପୁଅ ତାହାର ବୁଢା ହୋଇଲା କାନ୍ଦିଲା ଆଖି ମଳି ।