ମିଛ ଏକ ମିଠା ଜହର
ମିଛ ଏକ ମିଠା ଜହର
ସବୁଜ ବନର ମାୟା ଭରିଦେଇ
କଥା ଦେଇଥିଲ ମୋତେ,
ରହିବ ସାଥିରେ ଜୀବନ ତମାମ
ବାହାହୋଇ ମୋତେ ପଛେ |
କହିଥିଲ ତୁମେ କାନେ ତୁନି ତୁନି
ମୋତେ ଭଲପାଅ ବୋଲି,
ଛାତିରେ ମୋହର ଢଳି ପଡୁଥିଲ
ମନରେ ସରାଗ ବୋଳି |
ତୁମପାଇଁ ପରା ହୃଦୟେ ଭରିଲି
ଅସୁମାରୀ ପ୍ରୀତି ଆଶା,
ମନ ଉପବନେ ମହକି ଉଠିଲ
କବିତାରେ ମୋର ଭାଷା |
ଦେଖିଲି ତୁମକୁ ଦିନେ ଅନ୍ୟ ସାଥେ
ବାଣ୍ଟୁଥିଲ ପ୍ରୀତି ତାରେ,
ଭାଙ୍ଗିଗଲା ମୋର ମନ ସେହିଦିନୁ
ଅନୁତାପ ମନେ ଭରେ |
ତୁମ ମନେ ଯେବେ ଏତେ କଥା ଥିଲା
ଅଭିନୟ କିମ୍ପା କଲ,
ଛଳନାରେ ମୋତେ ଭଲ ପାଇବାର
କାମନା ଯେ ଭରିଦେଲ |
ମିଛ ଏକ ମିଠା ଜହର ଖୁଆଇ
କି ସୁଖ ପାଇଲ ସତେ,
ତୁମ ଛଳନାର ବିଷର ପ୍ରକୋପ
ଜାଳୁଛି ନୀରବେ ମୋତେ |
ହସରେ ତୁମର ମିଛ ଏକ ମିଠା
ଜହର ପ୍ରଲେପ ଥିଲା,
ତୁମ ଅଧରର ସେ ସେ ମିଠା ଜହର
ଚୁମ୍ବନେ ମୋତେ ଦଂଶିଲା |
ଜଳୁଛି ମୁଁ ତୁମ ଛଳନା ଜୁଇରେ
ଶୂନ୍ୟ ହୃଦୟକୁ ଧରି,
ତୁମେ ଦେଇଥିବା ମିଛ ଏକ ମିଠା
ଜହରକୁ ପାନ କରି |
