ମହେନ୍ଦ୍ରରେ ଶିବରାତ୍ରି
ମହେନ୍ଦ୍ରରେ ଶିବରାତ୍ରି
ମହେନ୍ଦ୍ର ଗିରି ଶିଖରେ, ଫଗୁଣ ଚତୁର୍ଦ୍ଦଶୀ ରେ
ମହାଶିବରାତ୍ରି ମେଳା ହୁଏ ପାଳିତ,
ଭକ୍ତ ହଜାର ହଜାର, ଆସି ଦୂରୁ ଦୂରାନ୍ତର
ପାଳନ କରନ୍ତି ମିଳି ଜାଗର ବ୍ରତ
ଗୋକର୍ଣ୍ଣେଶ୍ୱର ଙ୍କ ଦର୍ଶନେ,
ଲଭିବେ ଗତି ମୁକତି ମନାସି ମନେ।
ମିଳିଣ ଜିରାଙ୍ଗଠାରେ,ବଳଦେବଙ୍କ ପୀଠରେ
ଦର୍ଶନ ସାରି ସହଳ ପାଇ ଆଶିଷ,
ଗମନ୍ତି ପଦ ବ୍ରଜରେ, ଦୁର୍ଗମ ଗିରି ପଥରେ
ଡାକ ଦିଅନ୍ତି ଆକୁଳେ ହେ ଭୀମ ରଖ
ପଥଶ୍ରମ କର ଲାଘବ
ମହେନ୍ଦ୍ର ମାର୍ଗରେ ଥିବା ଭକ୍ତ ସରବ।
ବିଷମ ବନ୍ଧୁର ପଥେ, ପାଦ ଥାପି ଅବିରତେ
ହରଷଭରେ ଗମନ୍ତେ ଭକ୍ତ ସକଳ
ପକୃତି ଶୋଭା ପସରା, ଦର୍ଶନରେ ଆତ୍ମହରା
ଲଂଘି ପଥ ଅପନ୍ତରା ହୋଇ ବିଭୋଳ
ଜାତି ଜାତି କୁସୁମ ମାନ
ଗୁଳ୍ମ ଲତା ତରୁ ତୃଣ କି ଶୋଭାବନ।
ଝରଣାର କୁଳୁ ତାନ, ହରିନିଏ ଜନମନ
ମଧୁୁପ କରେ ଗୁଞ୍ଜନ,ଶୁଭେ କାକଳି,
ଆକାଶେ ବଉଦ ମାଳ,ଢାଳି ଛାୟା ସୁଶୀତଳ
ଶ୍ରଦ୍ଧାଳୁ ଜନ ସକଳ ଯାଆନ୍ତି ଚଳି।
ଲଂଘି ବନ ଗିରି ନିର୍ଝର
ମିଳିଲେ ଯାଇ ପରଶୁଧରଙ୍କ ଠାର।
ପର୍ଶୁରାମଙ୍କ ଦର୍ଶନ, ସାରି ସର୍ବ ଭକ୍ତ ଜନ
ଗୋକର୍ଣ୍ଣେଶ୍ୱର ଦର୍ଶନେ ହୋଇ ତୃପତ
ଯୁଧିଷ୍ଠିରଙ୍କ ଦେଉଳ ଦେଖିଣ ଭକ୍ତ ସକଳ
ମିଳନ୍ତେ ଭୀମ ଦେଉଳେ ଭକ୍ତ ସମସ୍ତ
ବିଚିତ୍ର ଆଦିମ ମନ୍ଦିର,
ତେତ୍ରିଶ ଶିଳାରେ ଗଢା ଭୀମ ହସ୍ତର।
ଅର୍ଜୁନ ଗୁମ୍ଫାରେ ମିଳି, ନକୁଳ ଦେଉଳେ ଚଳି
ସହଦେବଙ୍କ ଦେଉଳେ ସାରି ଦର୍ଶନ,
କାନନର ଶୋଭାମାନ, କରିଣ ଅବଲୋକନ
ଆଦିମ ଶୈଳୀରେ ତୋଳା ଦେଉଳମାନ।
କରିବାକୁ ଶିବ ପୂଜନ,
ନିର୍ମାଣି ଥିଲେ ଦ୍ଵାପରେ ପାଣ୍ଡବ ଗଣ।
ମହେନ୍ଦ୍ରର ସୂର୍ଯୋଦୟ, କାନ୍ତି ଅତି କମନୀୟ
ଭକତ ମନେ ବିସ୍ମୟ, ଭାବ ପ୍ରକାଶ,
ପୂର୍ବ ଦିଗରେ ଅରୁଣ, ଢ଼ାଳି ସୁନେଲି କିରଣ
ଦିଶଇ ରକ୍ତିମାବର୍ଣ୍ଣ ଆକାଶ ଦେଶ।
ଅରୁଣ କିରଣ ସୁନ୍ଦର
ଗିରି ଶିଖରରୁ ଦିଶେ କି ମନୋହର।
ସାରି ମହେନ୍ଦ୍ର ଦର୍ଶନ ପୁତ୍ତିଙ୍ଗି ଯାଇ ବହନ
ପୁଟେଶ୍ୱରଙ୍କ ଦର୍ଶନ କରି ସହଳ,
ମିଳିଣ ବାରୁଆଠାରେ,ସ୍ନାନ ସାରି ସରୋବରେ
କୋଟି ଲିଙ୍ଗ ଦର୍ଶନରେ, ହୋଇ ବିଭୋଳ।
ସଫଳ ମହେନ୍ଦ୍ର ଦର୍ଶନ,
ସାରି ଲେଉତନ୍ତି ଘରେ ଭକତ ଜନ ।
