କବିତା - ମହାବିଜୟ
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୦୬-୨୦୨୫
ବରକୋଳିଆ ବର୍ଷା ଅସରାଏ
ଗଁ ଗାଁ ଗର୍ଜନ ତର୍ଜନ ସହିତ ଢାଳୁଥାଏ
ଅଣଚାଷ କାଳବୈଶାଖୀ ବୋଧେ
ତପ୍ତ ଅପରାହ୍ନ ବିଚରା ତରଳୁଥାଏ ଶୀତଳୁଥାଏ
ହଠାତ୍ ଦିଶିଶଲା
ହଲି ଦୋହଲି ସରୁ ଧାରାଟିଏ
ପାଣି ଫୋଟକା କେଇଟା ପହଁରୁ ଥାଏ
ପୁଣି ଫାଟି ଭାସୁଥାଏ
ସୁଅ ମୁଁହରେ କାଠି କୁଟା ପତର ପରି
ପାକୁ ପାକୁ ଭାସି ଧାଇଁ ଯାଉଥାଏ
ପାଣିର ସୁଅ ଯେ ଛୁଟିଲା ଦୌଡିଲା
ବିଜୁଳି ବେଗରେ ଆଗକୁ ଧାଇଁଲା
କି ସର୍ପିଳ ବେଗ
କି ଉଜାଣି ପରିବେଗ
ହିଡ଼ ବାଡ଼ ବନ୍ଧ ଡେଇଁ ଗଲା
କି କଳକଳ ଫୁର୍ତ୍ତି ଫୁଟାଣି
କି କନକନ ଗର୍ବ ଗଡାଣି
ବୋଧେ ସୁଧା ସଞ୍ଜିବନି ବର୍ଷା ଦେଲା ଆଣି
ସେହି ପାବାରିଆ ଖରସ୍ରୋତ
ଆଗରେ ଯାଇ
ମିଶିଗଲା ଗୋହିରୀ ନାଳରେ
ପଶିଗଲା ଗାଁ ପଦ୍ମପୋଖରୀ ଭିତରେ
ବିଚରା ଅଧାମରା ଡରିଗଲା
କଦଳିପତ୍ର ପରି ଥରିଗଲା
ଥୁ ଥୁ ଗୁଣ୍ଡି କରି ଛାତି ଉପରେ
ନେଣ୍ଡେ ଛେପ ପକେଇ ନେଲା
ଏଡେ ବଡ଼ ଜଳାଶୟ ଦେଖି
ଦମ୍ଭ ମଞ୍ଜ ଦୋହଲିଗଲା
କାରଣ
ତାର କୃଶ ଶରୀର ହଜାଇବ ସ୍ବ ଅସ୍ତିତ୍ୱ
ତାର ଗର୍ବ ଅହଂକାର ହେବ ପଦାନତ
ସଳିଳ ସମାଧି ଲଭିବ ତାର ମହତ ଇଜ୍ଜତ
ପଛକୁ ଫେରି ଚାହିଁଲା
ଭୟଭୀତ କରୁଣାର୍ତ୍ତ ଆଶାନେଇ
ଫେରିବାର ବାଟ ବନ୍ଦ
ଶଙ୍କାୟିତ ମୁଦ୍ରିତ ନୟନ ଦେଇ
କ୍ଷଣିକ ଉତ୍ତେଜନାରେ
ପାଣି ସୁଅଟା
ଭୂଲି ଯାଇଥିଲା ସତ୍ୟ ସନାତନ ଉକ୍ତି
ପାଣିସୁଅ ଆଗକୁ ବହିଗଲେ ଥରେ
ପାଟିରୁ କଥା ପରି
ଧନୁରୁ ତୀର ପରି
ଖଡ଼ାରୁ ବାଟୁଳି ପରି
ପୁଣି ପଛକୁ ଆସିବା ଫେରି
ଘୋର ଅସମ୍ଭବ ଘୋର ଭୟ ତାଣ୍ଡବ
ଭୟକୁ ଦୂରେଇବ କେମିତି
ଉୟର ଚେରକୁ ତାଡିବ କେମିତି
ଭିତ୍ତିପୂର୍ଣ୍ଣ ପରିସ୍ଥିତି ଭିତ୍ତିଶୂନ୍ୟ ହେବ କେମିତି
କଥାରେ କହନ୍ତି
ଭୟର ଆଗେ ଅଛି ଜୟ
ଭୟର ଆତଙ୍କ ସରିବ ଭାବିବା ହିଁ ଅଭୟ
ଭାବି ବସିଲେ ଆପେ ଆପେ ଗଜୁରିବ ବରାଭୟ
ପାଣିସୁଅ ଭିତରେ ଭିତରେ ଡରୁଥାଏ
ଗୁମୁରି ଗୁମୁରି ଭାବୁଥାଏ ସମାଧାନ
ପଛକୁ ଫେରିବା ସନ୍ଦିହାନ ଯେତେବେଳେ
କିଛି ତ ଫନ୍ଦି ଫିକର କରିବା ହିଁ ସମୀଚିନ
ପୁଣି ଭାବିଲା ରିସ୍କ ନେବା ହିଁ ଭଲ
ଗାଁ ମୁଣ୍ଡରେ ବିରାଟ ବେଣ୍ଟ ପୋଖରୀ
ଆଖି ପାଉନି ପ୍ଲାବିତ କୂଳ ଉଖାରି
ଅଥଳ ଥଳ ପାଣି ଢ଼େଉରେ ଚେଲକାଣି
ଅକାତ କାତ ପାଣି ବୁଡିବ ବୁଡିବ ହେଲାଣି
ଖୁସି ମନରେ ବିସର୍ଜିତ ହେବା ହିଁ ଅମୂଲ୍ୟ ପ୍ରମାଣ
କ୍ଷୁଦ୍ର ମିଶିବ ବୃହତ ସହିତ ହିଁ ଅମୃତ ଅର୍ପଣ
ପାଣିସୁଅ ପୋଖରୀ ପାଣି ସହ ଫେଣ୍ଟିଯିବା ହିଁ ଅତୁଲ୍ୟ ତର୍ପଣ
ପାଣିସୁଅ ଗାଁ ପୋଖରୀ ପାଲଟିଯିବା ହିଁ ସତ୍ୟ ସମର୍ପଣ
ଡ଼ର ଭୟ କିସପାଇଁ
ପାଣି ସୁଅ ବି ବର୍ଷପାଣିର ଗୋଟେ ରୂପ
ପୋଖରୀ ପାଣି ବି ଆକାଶକନ୍ୟାର ଅନ୍ୟ ପ୍ରାରୂପ
ଦୁହେଁ ବର୍ଷାରାଣୀର ବେନୀ ଦୁହିତା
ମୌକା ମିଳିଛି ଯଦି ମିଶିଯିବାରେ ପରିପକ୍ୱତା
ଲତା ସଳିତା ପରି
ଗୁଡେଇ ତୁଡେଇ ହୋଇଯିବାରେ ହିଁ
ସୌମ୍ୟତା ସାଧୁତା ଶିଷ୍ଟତା
ସର୍ବୋପରି ଏକତା ଐକ୍ୟବଦ୍ଧତା
ଭୟ ଭୀତି ଭିତରେ ରଖି ଥୟ ଲୟ
ଭୟକୁ ହରେଇବା ହିଁ ଜୟ
ଭୟର ଶେଷାନ୍ତ ହିଁ ମହାବିଜୟ ।